ରାଉରକେଲା, ୧୨/୦୯: ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି। ଗତକାଲି ୫ ଲକ୍ଷ ଟଙ୍କା ନଗଦ ଜବତ ପରେ ରାଉରକେଲା ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସର ପ୍ରାଥମିକ ଯାଞ୍ଚରେ ବରାଡ଼ଙ୍କ ନାଁରେ ୪ଟି ପ୍ଲଟ୍ ଠାବ ହୋଇଥିବା ସୂଚନା ମିଳିଛି।
ତଦନ୍ତ ସମୟରେ ଭୁବନେଶ୍ୱରରେ ଗୋଟିଏ ଏବଂ ନୟାଗଡ଼ ଜିଲ୍ଲାରେ ୩ଟି ପ୍ଲଟ୍ ଥିବା ଭିଜିଲାନ୍ସ ଠାବ କରିଛି। ଏହା ସହିତ ଭୁବନେଶ୍ୱର ରଘୁନାଥପୁରରେ ବରାଡ଼ଙ୍କ ଏକ ୨,୭୦୦ ବର୍ଗଫୁଟ୍ର ଦୁଇ ମହଲା କୋଠା ଥିବା ମଧ୍ୟ ଠାବ ହୋଇଛି। କୋଠା ଓ ଜମିର ମୂଲ୍ୟାୟନ ମଧ୍ୟ କରାଯାଉଛି।
ଯାଞ୍ଚ ବେଳେ ବିଭିନ୍ନ ବ୍ୟାଙ୍କ ଖାତାରେ ପ୍ରାୟ ୩୩ ଲକ୍ଷ ୯୭ ହଜାର ଟଙ୍କା ଜମା ଥିବା ସୂଚନା ମିଳିଛି। ଏ ନେଇ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ।
ଗତକାଲି ରାଉରକେଲା ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଏକ ଗାଡ଼ିକୁ ଅଟକାଇ ଭିଜିଲାନ୍ସ ଟିମ୍ ୫ ଲକ୍ଷ ଟଙ୍କା ନଗଦ ଜବତ କରିଥିଲା। ଭିଜିଲାନ୍ସର ସୂଚନା ଅନୁସାରେ, ଜଣେ ମଦ ଦୋକାନର ସେଲ୍ସମ୍ୟାନ୍ଙ୍କ ଗାଡ଼ିରୁ ଏହି ଟଙ୍କା ମିଳିଥିଲା। ଏହି ଟଙ୍କାକୁ ବରାଡ଼ଙ୍କ ବାସଭବନକୁ ନିଆଯାଉଥିଲା।