ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଯୁବମୋର୍ଚ୍ଚା ତରଫରୁ ଅନୁଷ୍ଠିତ ହେବ ମେଗା ରକ୍ତଦାନ ଶିବିର : ଅଭିଳାଷ ପଣ୍ଡା

ସେପ୍ଟେମ୍ବର ୧୭ରୁ ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା “ସେବା ସଂକଳ୍ପ ଅଭିଯାନ” ରେ ଓଡ଼ିଶାରେ ଲକ୍ଷ ଲକ୍ଷ କାର୍ଯ୍ୟକର୍ତା ସାମିଲ ହେବେ: ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର

ସ୍ୱେଚ୍ଛାକୃତ ରକ୍ତଦାନ ପଞ୍ଜୀକରଣ ପାଇଁ “କ୍ୟୁଆର କୋର୍ଡ”କୁ କରାଗଲା ଲୋକାର୍ପିତ

ଭୁବନେଶ୍ୱର, ୧୨/୦୯: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ, ନିରନ୍ତର ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣର ଯାତ୍ରାକୁ ପ୍ରେରଣା ଭାବେ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ କରାଯାଉଛି । ଆସନ୍ତା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା “ସେବା ସଂକଳ୍ପ ଅଭିଯାନ” ଅନ୍ତର୍ଗତ ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଶ୍ରୀ ନରେନ୍ଦ୍ର ମୋଦି କେବଳ ସର୍ବାଧିକ ସମୟ ଶାସନ ବ୍ୟବସ୍ଥା ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିନାହାନ୍ତି, ସେ ସର୍ବାଧିକ ଜନସାଧାରଣଙ୍କର ହୃଦୟରେ ସ୍ୱତନ୍ତ୍ର ଘର ତୋଳି ପାରିଛନ୍ତି । ବିଶେଷ ଭାବେ ଯୁବବର୍ଗଙ୍କ ଆକାଂକ୍ଷାକୁ ପୁରଣ କରୁଥିବା ବିଭିନ୍ନ ଯୋଜନାର ସଫଳ କ୍ରିୟାନ୍ୱୟନ କରି ଦେଶର ଯୁବକମାନଙ୍କ ପାଇଁ ନୂତନ ଆଶା ସଂଚାର କରିବା ସହିତ ଭାରତବର୍ଷର ବିକାଶର ସାରଥୀ ଭାବେ ନିଜ ନିଜ କ୍ଷେତ୍ରରେ କାମ କରିବା ସକାଶେ ପ୍ରଧାନମନ୍ତ୍ରୀ ମୋଦିଜୀ ପ୍ରେରଣା ଯୋଗାଇଛନ୍ତି । ନରେନ୍ଦ୍ର ମୋଦିଜୀ ଜଣେ ସମୟକୁ ତାଳ ଦେଇ ଚାଲୁଥିବା ବ୍ୟକ୍ତିତ୍ୱ । ତାଙ୍କର ଏହି ଶାସନକାଳ ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି । ଦେଶର ହାତଗଣତି ଷ୍ଟାର୍ଟଅପ୍ ଥିଲା, କିନ୍ତୁ ଆଜି ସେହି ଷ୍ଟାର୍ଟଅପ୍ ୧ଲକ୍ଷ ଅତିକ୍ରମ କରିଛି । ୟୁନିକର୍ଣ୍ଣର ସଂଖ୍ୟା ଓଡିଶାରେ ୩୦୦କୁ ଛୁଇଁଛି । ବ୍ୟାପକ ରୋଜଗାର ସୃଜନ, ଆତ୍ମନିଯୁକ୍ତି, ନିଯୁକ୍ତିର ବ୍ୟବସ୍ଥା ଯୁବକମାନଙ୍କ ଆଗରେ ଖେଳ ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଏକ ଦର୍ଶନୀୟ ପରିବର୍ତନ ମୋଦିଜୀଙ୍କ ନେତୃତ୍ୱରେ ହୋଇଛି । ଏହା ସହ ତାଙ୍କର ଲମ୍ବା ସମୟର ଜନକଲ୍ୟାଣକାରୀ ନୀତି, ଓଡିଶା ପ୍ରତି ତାଙ୍କ ଭଲ ପାଇବା ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ତାଙ୍କର ଆବେଗପୂର୍ଣ୍ଣ ଭକ୍ତି ପାଇଁ ତାଙ୍କ ଜନ୍ମଦିନକୁ କୃତଜ୍ଞତା ଜ୍ଞାପନ କରିବାର ଅବସର ଭାବେ ଗ୍ରହଣ କରି ଆସନ୍ତା ୧୭ ତାରିଖ ଦିନ “ଦୀର୍ଘାୟୁ ଭବ” ନାମରେ ଯୁବମୋର୍ଚ୍ଚା ତରଫରୁ ଏକ ଶୁଭେଚ୍ଛା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ଯୁବମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡିଆ ଠାରେ ସକାଳ ୭ ଘଟିକା ଠାରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏଥି ସହ ମୋଦିଜୀଙ୍କ ଜିବନୀ ଉପରେ ଆଧାରିତ ପ୍ରାମାଣିକ ଚଳଚିତ୍ର, ନୁକଡ ନାଟକ, ଯୁବାଭିମୁଖି ଯୋଜନା ଓ ଯୁବ ଆକାଂକ୍ଷା ଆଧାରିତ ପ୍ରଦର୍ଶନୀ, ସେଲ୍ଫି କର୍ଣ୍ଣର ଆଦି ମଧ୍ୟ ପ୍ରଦର୍ଶିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ମାର୍ଗଦର୍ଶନ ତଥା ପ୍ରେରଣାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ଆହ୍ୱାନ ଦିଆଯାଇଛି । ଅଦ୍ୟାବଧି ଗୋଟିଏ ସଂଗଠନ ଦ୍ୱାରା ଗୋଟିଏ ସ୍ଥାନ, ଗୋଟିଏ ଦିନ ଏବଂ ଗୋଟିଏ କ୍ୟାମ୍ପରେ ସର୍ବାଧିକ ରକ୍ତ ସଂଗ୍ରହ କରାଯାଇ ନୂତନ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିବାର ପ୍ରୟାସ କରାଯିବ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସେବା ‘ସଂକଳ୍ପ ଅଭିଯାନ’ର ରାଜ୍ୟ ସଂଯୋଜକ ତଥା ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସେବା ଓ ସଂକଳ୍ପର ଭାବାନାକୁ ନେଇ ଭାରତର ଅଦ୍ୱିତୀୟ ନେତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ନିରନ୍ତର ଭାବେ ଗତ ୨୫ ବର୍ଷ ଧରି ସୁଶାସନ ଦେଇ ଆସୁଛନ୍ତି । ସେପ୍ଟେମ୍ବର ୧୭ରୁ ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା “ସେବା ସଂକଳ୍ପ ଅଭିଯାନ” ରେ ଓଡ଼ିଶାରେ ଲକ୍ଷ ଲକ୍ଷ କାର୍ଯ୍ୟକର୍ତା ସାମିଲ ହେବେ । ଓଡ଼ିଶାରେ ବିଜେପି ସରକାର ଜନସେବା ଓ ବିକାଶକୁ ପ୍ରାଥମିକତା ଦେଇ ଆଗକୁ ବଢ଼ୁଛି । କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ ପଦକ୍ଷେପର ଲାଭ ଯେପରି ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଁଚିବ, ଏଥିପାଇଁ ଦଳୀୟ କାର୍ଯ୍ୟକର୍ତାମାନେ ଜନସମ୍ପର୍କ ଓ ସେବା କାର୍ଯ୍ୟକୁ ଆହୁରି ଗତିଶୀଳ କରିବେ । ବିଶେଷକରି ଜନଜାତି ସମାଜ, ମହିଳା, ଯୁବକ, ଚାଷୀ, ଗରିବ ଓ ବଂଚିତ ବର୍ଗଙ୍କ ନିକଟରେ ପହଂଚିି ସେମାନଙ୍କ ଆବଶ୍ୟକତା ଓ ସମସ୍ୟା ଶୁଣିବା ସହିତ ଯଥାସମ୍ଭବ ସହଯୋଗ କରାଯିବ । \”ସେବା ସଂକଳ୍ପ ଅଭିଯାନ\’ରେ ୧୩ଟି ପ୍ରମୁଖ ସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରକ୍ତଦାନ ଶିବିର, ଆର୍ଶୀବାଦର ଦୀପ, ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ନମୋ ସେବା ଗାଥା, ଅଙ୍ଗନବାଡୀ ଉତ୍ସବ, ପରିବର୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବା ଜ୍ୟୋତି ଯାତ୍ରା, ସେବା ଓ ମୋର ଯୋଗଦାନ, ସେବା ସେତୁ ଅଭିଯାନ, ରଙ୍ଗୋଲୀ ରାଷ୍ଟ୍ର, ଜନସେବାର ମହାକୁମ୍ଭ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେବା ସଂକଳ୍ପର ବାର୍ତାକୁ ତଳ ସ୍ତରରେ ପହଂଚାଇବା ଓ ମୋଦିଜୀଙ୍କ ଭଳି ଆମେ ମାନେ ମଧ୍ୟ ନିଜକୁ ଦେଶସେବାରେ ସମର୍ପିତ କରିବା ପାଇଁ ସଂକଳ୍ପ ନେବାକୁ ମାନ୍ୟବର ମନ୍ତ୍ରୀ ଡା.ମହାପାତ୍ର ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ରାଜ୍ୟକାର୍ଯ୍ୟାଳୟଠାରେ ଯୁବକମାନଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ପ୍ରେରିତ କରିବାକୁ ଯୁବମୋର୍ଚ୍ଚା ପକ୍ଷରୁ ଏକ ଗୀତ ‘ରକ୍ତଦାନ ମହାପୂଣ୍ୟ’ ର ଅନାବରଣ କରାଯାଇଥିଲା । ସେହିପରି ସ୍ୱେଚ୍ଛାକୃତ ରକ୍ତଦାନ ପଞ୍ଜୀକରଣ ପାଇଁ “କ୍ୟୁଆର କୋର୍ଡ”କୁ ଲୋକାର୍ପିତ କରାଯାଇଥିଲା ।

ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ‘ସେବା ସଂକଳ୍ପ ଅଭିଯାନ’ର ରାଜ୍ୟ ସହ ସଂଯୋଜକ ତଥା ବିଧାୟକ ଇରାଶିଶ୍ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ମାନସ ସାହୁ, ଶକ୍ତିରଞ୍ଜନ ଶତପଥୀ ଏବଂ ରତନ ବଣିକ ପ୍ରମୁଖ ଉପସ୍ଥିତ ଥିଲେ ।