ନୂଆଦିଲ୍ଲୀ, ୧୧/୦୯: ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତରେ ଆସି ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକ ତାମିଲ ପୁସ୍ତକ ‘ଥିରୁକ୍କୁରାଲ୍’ର ରୁଷୀୟ ଅନୁବାଦ ଉପହାର ଦେଇଛନ୍ତି।
‘ଥିରୁକ୍କୁରାଲ୍’ କେବଳ ଏକ ପୁସ୍ତକ ଉପହାର ନୁହେଁ, ବରଂ ଭାରତୀୟ ସାହିତ୍ୟ ଓ ରୁଷୀୟ ସାଂସ୍କୃତିକ ଜଗତ ମଧ୍ୟରେ ଥିବା ପୁରୁଣା ସମ୍ପର୍କର ଏକ ପ୍ରତୀକ ଭାବେ ଦେଖାଯାଉଛି।
ସୂଚନାଯୋଗ୍ୟ, ଗତ କାଲି ବିଳମ୍ବିତ ରାତିରେ ଭାରତରେ ଆସି ପହଞ୍ଚିଥିଲେ ପୁଟିନ। ଦିଲ୍ଲୀ ବିମାନବନ୍ଦରରେ ବିଦେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ସ୍ୱାଗତ କରିଥିଲେ।
ଆଜିର ଦ୍ୱିପାକ୍ଷିକ ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟ, ଶକ୍ତି, ପ୍ରତିରକ୍ଷା, ନ୍ୟୁକ୍ଲିୟର ଏନର୍ଜି, ସାର, ରେଳବାଇ, ଇସ୍ପାତ, ଉତ୍ପାଦନ ଓ ଖଣିଜ ସମ୍ପଦ ଭଳି କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହେବାର ଆଶା ରହିଛି।
ମୋଦୀ-ପୁଟିନ ଆଲୋଚନାରେ ୟୁକ୍ରେନ୍ ଯୁଦ୍ଧ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଅଗଷ୍ଟ ୩୧ରେ କିର୍ଗିଜସ୍ତାନର ବିଶକେକ୍ରେ ଏସସିଓ ସମ୍ମିଳନୀ ଅବସରରେ ମୋଦୀ ଓ ପୁଟିନଙ୍କ ସାକ୍ଷାତ ହୋଇଥିଲା। ସେତେବେଳେ ମୋଦୀ କହିଥିଲେ ଯେ ଯୁଦ୍ଧର ସମାଧାନ ଆଲୋଚନା ଓ କୂଟନୀତି ମାଧ୍ୟମରେ ହେବା ଆବଶ୍ୟକ।
ଭାରତ ଏଥର ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରୁଛି। ସେପ୍ଟେମ୍ବର ୧୨ ଓ ୧୩ରେ ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ହେବ। ପୁଟିନଙ୍କ ସହ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଇରାନ୍ ରାଷ୍ଟ୍ରପତି ମସୌଦ ପେଜେଶକିଆନ୍ ଓ ଅନ୍ୟ ନେତାମାନେ ମଧ୍ୟ ଏଥିରେ ଯୋଗଦେବେ।
କ’ଣ ଏହି ‘ଥିରୁକ୍କୁରାଲ୍’
ଥିରୁକ୍କୁରାଲ୍ ହେଉଛି ପ୍ରାଚୀନ ତାମିଲ୍ କବି ଓ ଦାର୍ଶନିକ ଥିରୁବଲ୍ଲୁଭରଙ୍କ ରଚନା। ଏଥିରେ ମୋଟ ୧,୩୩୦ଟି ଦ୍ୱିପଦୀ ରହିଛି ଏବଂ ଏହା ୧୩୩ଟି ଅଧ୍ୟାୟରେ ବିଭକ୍ତ। ଏହାର ମୁଖ୍ୟ ତିନୋଟି ଭାଗ ହେଉଛି— ଅରମ୍ (ନୀତି/ସଦାଚାର), ପୋରୁଲ୍ (ସମାଜ, ଅର୍ଥ ଓ ଶାସନ) ଏବଂ ଇନ୍ବମ୍ (ପ୍ରେମ ଓ ମାନବୀୟ ସମ୍ପର୍କ)। ଅର୍ଥାତ୍, ଏହି ଗ୍ରନ୍ଥ କେବଳ ତାମିଲ୍ ସାହିତ୍ୟର ଏକ ମହାନ କୃତି ନୁହେଁ; ଏଥିରେ ମାନବ ଜୀବନ, ନୀତି, ନ୍ୟାୟ, ଶାସନ ଓ ସମ୍ପର୍କକୁ ନେଇ ସାର୍ବଜନୀନ ଚିନ୍ତାଧାରା ରହିଛି।
ରୁଷ ସହ ‘ଥିରୁକ୍କୁରାଲ୍’ର କ’ଣ ସମ୍ପର୍କ?
ତଥ୍ୟ ଅନୁସାରେ, ୧୯୬୩ ମସିହାରେ ଜେ.ଜେ. ଗ୍ଲାଜୋଭ ଓ ଏ. କ୍ରିଷ୍ଣାମୂର୍ତ୍ତି ଥିରୁକ୍କୁରାଲ୍ର ପ୍ରଥମ ରୁଷୀୟ ଅନୁବାଦ ପ୍ରକାଶ କରିଥିଲେ। ପରେ ୧୯୭୪ରେ ଆଲିଫ ଇବ୍ରାଗିମୋଭ ଆଉ ଏକ ରୁଷୀୟ ଅନୁବାଦ ପ୍ରକାଶ କରିଥିଲେ। ୧୯୯୦ରେ ବିଥାଳି ଫର୍ଣ୍ଣିକି ସମ୍ପୂର୍ଣ୍ଣ ଥିରୁକ୍କୁରାଲ୍ର ଆଉ ଏକ ରୁଷୀୟ ଅନୁବାଦ କରିଥିଲେ।
ତେଣୁ ମୋଦି ପୁଟିନଙ୍କୁ ଯେଉଁ ରୁଷୀୟ ସଂସ୍କରଣ ଉପହାର ଦେଇଛନ୍ତି, ତାହା ରୁଷରେ ତାମିଲ୍ ଦାର୍ଶନିକ ଚିନ୍ତାଧାରା ପହଞ୍ଚାଇବାର ଏକ ଦୀର୍ଘ ପରମ୍ପରାକୁ ମନେ ପକାଇଦେଉଛି।