ଝାରସୁଗୁଡ଼ା, ୧୨/୦୯ ଝାରସୁଗୁଡ଼ା ସହରରେ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ପୁରୁଣା ବସ୍ ଷ୍ଟାଣ୍ଡ ନିକଟ ରାସ୍ତାକଡ଼ରେ ଥିବା ଏକ ଜୁଏଲାରୀରୁ ଲୁଟେରାମାନେ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ରାତିରେ ଜୁଏଲାରୀ ବନ୍ଦ ଥିବାର ସୁଯୋଗ ନେଇ ଲୁଟେରାମାନେ ଦୋକାନର ଛାତ କାଟି ଭିତରକୁ ଯାଇ ଦୋକାନ ଭିତରେ ଥିବା ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ଅଳଙ୍କାରର ମୋଟ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି।
ଘଟଣା ଜଣାପଡ଼ିବା ପରେ ଜୁଏଲାରୀ ମାଲିକ ଏନେଇ ଝାରସୁଗୁଡ଼ା ଟାଉନ ଥାନାରେ ଏତଲା ଦେଇଛନ୍ତି। ଏତଲା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
ପୋଲିସ ପକ୍ଷରୁ ଜୁଏଲାରୀ ଏବଂ ଏହାର ଆଖପାଖ ଅଞ୍ଚଳ ଯାଞ୍ଚ କରାଯାଉଛି। ଲୁଟେରାମାନେ କେଉଁ ରାସ୍ତାରେ ଆସିଥିଲେ ଏବଂ ଲୁଟ୍ ପରେ କେଉଁ ଦିଗକୁ ଫେରାର ହୋଇଛନ୍ତି, ସେନେଇ ତଦନ୍ତ ଚାଲିଛି। ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରାଙ୍କ ସମ୍ପର୍କରେ ସୁରାକ୍ ଖୋଜୁଛି ପୋଲିସ।