ନୂଆଦିଲ୍ଲୀ, ୧୨/୦୯: ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନିର୍ଦ୍ଧାରିତ ସମୟ ପୂର୍ବରୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଭାରତ ଗସ୍ତରେ ଆସିଛନ୍ତି। ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଜିନ୍ପିଙ୍ଗଙ୍କର ଏହା ପ୍ରଥମ ଭାରତ ଗସ୍ତ ହୋଇଥିବାରୁ ଏହାକୁ କୂଟନୈତିକ ସ୍ତରରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।
ଏହି ଗସ୍ତରେ ତାଙ୍କ ସହିତ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ତଥା ନିର୍ଦ୍ଧାରକ କାଇ କି ମଧ୍ୟ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି।
ଆଜି ସଂଧ୍ୟା ୫ଟା ୪୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକ ଉପରେ ଏବେ ସାରା ବିଶ୍ୱର ନଜର ରହିଛି।