ନୂଆଁଖାଇରେ ବରଗଡ଼ ଇନରହ୍ବିଲ୍ କ୍ଲବର ନିଆରା ପ୍ରୟାସ

ଆଶ୍ରୟସ୍ଥଳୀ ଅନ୍ତେବାସୀଙ୍କୁ ନୂଆ ଲୁଗା ଓ ରାସନ୍ ସାମଗ୍ରୀ ପ୍ରଦାନ

ବରଗଡ଼, ୧୨/୦୯: ପଶ୍ଚିମ ଓଡ଼ିଶାର ପ୍ରାଣ ଗଣପର୍ବ ନୂଆଁଖାଇ ଅବସରରେ ସମାଜର ଅବହେଳିତ ଓ ବାସହୀନ ଲୋକଙ୍କ ସାଥୀ ହୋଇଛି ‘ଇନରହ୍ବିଲ୍ କ୍ଲବ ଅଫ୍ ବରଗଡ଼’। ପର୍ବପର୍ବାଣୀର ଆନନ୍ଦରୁ ବଞ୍ଚିତ ହୋଇଥିବା ଆଶ୍ରୟସ୍ଥଳୀର ଅନ୍ତେବାସୀମାନଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ନୂଆଁଖାଇର ଖୁସିରେ ସାମିଲ କରିବା ପାଇଁ କ୍ଲବ୍ ପକ୍ଷରୁ ଏକ ପ୍ରେରଣାଦାୟୀ ସେବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବରଗଡ଼ ବେସରକାରୀ ବସଷ୍ଟେସନ ନିକଟରେ ଥିବା ବାସହୀନଙ୍କ ଆଶ୍ରୟସ୍ଥଳୀରେ ପହଞ୍ଚି କ୍ଲବର କର୍ମକର୍ତ୍ତାମାନେ ଅନ୍ତେବାସୀମାନଙ୍କୁ ଏହି ସାମଗ୍ରୀ ବଣ୍ଟନ କରିଛନ୍ତି। ପୂର୍ବତନ ଡିଷ୍ଟ୍ରିକ୍ଟ ଚେୟାରମେନ୍ ମମତା ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନର ସଭାନେତ୍ରୀ ଅନୁପମା ଅଗ୍ରଓ୍ବାଲ, ଅସିମା ବିଶୋୟୀ, ଏବଂ ପୂଜା ଅଗ୍ରଓ୍ବାଲ ପ୍ରମୁଖ ସକ୍ରିୟ ଭାବେ ସାମିଲ ରହି ସହଯୋଗ କରିଥିଲେ।

ଏହି ଅବସରରେ ଅନ୍ତେବାସୀମାନଙ୍କୁ ନୂଆ ଲୁଗା, ପୁରୁଷ ଅନ୍ତେବାସୀଙ୍କ ପାଇଁ ଧୋତି ଓ ଗାମୁଛା ପ୍ରଦାନ କରାଯାଇଥିଲା। ଏହାସହିତ ସେମାନଙ୍କ ନୂଆଁଖାଇ ପର୍ବର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚାଉଳ, ଡାଳୀ, ଚିନି, ଅଟା, ତେଲ, ଘିଅ, ମୁଗ ଆଦି ଶୁଖିଲା ରାସନ୍ ସାମଗ୍ରୀ ସହିତ ବିଭିନ୍ନ ପ୍ରକାରରଜ୍ଜ୍ବ ତାଜା ପନିପରିବା ଏବଂ କିଛି ଆର୍ଥିକ ରାଶି ମଧ୍ୟ ସହାୟତା ଭାବେ ଦିଆଯାଇଥିଲା।

କ୍ଲବର ଏହି ମହତ୍ ପଦକ୍ଷେପ ଆଶ୍ରୟସ୍ଥଳୀର ଅନ୍ତେବାସୀମାନଙ୍କ ନୂଆଁଖାଇ ଆନନ୍ଦକୁ ଦ୍ୱିଗୁଣିତ କରିଦେଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ବେଶ୍ ପ୍ରଶଂସା କରାଯାଇଛି। ସାମାଜିକ ଦାୟିତ୍ୱବୋଧ ଓ ସହାନୁଭୂତିର ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ବଡ଼ ପ୍ରେରଣା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।