ଭାରତ-ଚୀନ୍ ସମ୍ପର୍କରେ ସୁଧାର

ଏଲଏସିରେ ସୈନ୍ୟ ହ୍ରାସ କଲା ଚୀନ

ନୂଆଦିଲ୍ଲୀ, ୧୪/୦୯: ଭାରତ ଏବଂ ଚୀନ୍‌ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମା ବିବାଦରେ ଏକ ବଡ଼ ଏବଂ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଲଏସିରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ ପାଇବାରେ ଲାଗିଛି। ବିଶେଷ କରି ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ସୀମାରେ ନିଜର ସାମରିକ ଉପସ୍ଥିତି ଏବଂ ସୈନ୍ୟସଂଖ୍ୟା ହ୍ରାସ କରିଛି।

ଏଲଏସି ନିକଟବର୍ତ୍ତୀ ଅଞ୍ଚଳରେ ଚୀନ୍ ସେନା ଅନେକ ଅଗ୍ରଣୀ ଘାଟିରୁ ନିଜର ଅତିରିକ୍ତ ସୈନ୍ୟ ଏବଂ ଭାରୀ ଯୁଦ୍ଧାସ୍ତ୍ର ପଛକୁ ହଟାଇ ନେଇଛି। ପୂର୍ବରୁ ସୀମାର ଯେଉଁ ବିବାଦୀୟ ଅଞ୍ଚଳଗୁଡ଼ିକରେ ସୈନ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେଠାରେ ଏବେ ଆଲୋଚନା ମାଧ୍ୟମରେ ସ୍ଥିତି ସ୍ୱାଭାବିକ ହେଉଛି।

କୂଟନୈତିକ ଏବଂ ସାମରିକ ସ୍ତରରେ ଦୁଇ ଦେଶ ମଧ୍ୟରେ ହୋଇଥିବା ନିରନ୍ତର ବୈଠକ ଏବଂ କମାଣ୍ଡର ସ୍ତରୀୟ ଆଲୋଚନା ଫଳରେ ଏହି ସଫଳତା ମିଳିଛି।

୨୦୨୦ ଗଲୱାନ୍ ଘାଟି ସଂଘର୍ଷ ପରଠାରୁ ଭାରତ ଏବଂ ଚୀନ୍ ସମ୍ପର୍କରେ ଗମ୍ଭୀର ତିକ୍ତତା ସୃଷ୍ଟି ହୋଇଥିଲା। ଦୁଇ ଦେଶ ଏଲଏସିରେ ହଜାର ହଜାର ସୈନ୍ୟ ମୁତୟନ କରିଥିଲେ। ତେବେ ବର୍ତ୍ତମାନ ଚୀନ୍ ସେନାର ପଛଘୁଞ୍ଚା ଏବଂ ସାମରିକ ଉପସ୍ଥିତି ହ୍ରାସ ପାଇବା ଫଳରେ ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରିବାର ବାଟ ଫିଟିଛି। ତଥାପି, ଭାରତୀୟ ସେନା ଏଲଏସିରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ସହ ନିରନ୍ତର ନଜର ରଖିଛି।