ଭାରତ ମସଲାର ୨୭ତମ ପ୍ରତିଷ୍ଠା ଦିବସ ଓ ଭାରତ ପ୍ରତିଭା ସମ୍ମାନ
ଧୈର୍ଯ୍ୟ, କଠିନ ପରିଶ୍ରମ ଓ ସଂଘର୍ଷରୁ ମିଳେ ସଫଳତା : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
କଟକ, ୧୫/୦୯: ଯୁବ ସମାଜ ଆଜି ଅଧୈର୍ଯ୍ୟ, ଅସ୍ଥିର ଏବଂ ସଟକଟ୍ରେ ସଫଳତା ପଛରେ ଧାଉଁଛନ୍ତି । ରାତାରାତି ଧନୀ ହେବାକୁ ଚାହୁଁଛନ୍ତି । କିନ୍ତୁ ଆଜି ଯେଉଁମାନେ ଓଡ଼ିଶାର ନାଁକୁ ବିଶ୍ୱ ଦରବାରରେ ପହଂଚାଇଛନ୍ତି ସେମାନେ କେତେ ଧୈର୍ଯ୍ୟର ସହ ସଂଘର୍ଷ କରିଛନ୍ତି ତାହା ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡାଙ୍କ ଭଳି ଅନୁଭବିଙ୍କୁ ଜଣା । ଆଜିର ଯୁବପିଢ଼ୀ ତାଙ୍କରି ଜୀବନାଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ । ଯୁବପିଢ଼ୀମାନେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଆମ ଓଡ଼ିଶାରେ ଅନେକ ସୁଯୋଗ ରହିଛି । ଏମ୍ଏସ୍ଏମ୍ଇ ସେମାନଙ୍କୁ ସୁଯୋଗ ଦେଉଛି । ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ସରକାର ୪କୋଟି ଟଙ୍କା ପର୍ଯ୍ୟନ୍ତ ସବ୍ସିଡ୍ ପ୍ରଦାନ କରାଯାଉଛି ଯାହାକି ୩୦ରୁ ୩୫ଶତକଡା ସବ୍ସିଡ୍ । ଏହାର ସୁଯୋଗ ନେଲେ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଆମେ ବିକଶିତ ରାଜ୍ୟରେ ପରିଣତ କରିପାରିବା । ଏଥିପାଇଁ ଧୈର୍ଯ୍ୟର ଆବଶ୍ୟକତା କରିଛ । ଧୈର୍ଯ୍ୟ ରଖି ଯଦି କଠିନ ପରିଶ୍ରମ ନିରନ୍ତର ଭାବେ କରି ଚାଲିବା ତେବେ ସଙ୍ଘର୍ଷରୁ ଯେଉଁ ସଫଳତା ମିଳିବ ତାହା ଆମକୁ ଶୀର୍ଷରେ ପହଂଚାଇ ପାରିବ ବୋଲି ଭାରତ ମସଲାର ୨୭ତମ ପ୍ରତିଷ୍ଠା ଦିବସରେ ମତ୍ସ୍ୟ ଓ ପଶୁସଂପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତ ରଖିଛନ୍ତି । ସେହିପରି ତାଙ୍କ ବକ୍ତବ୍ୟରେ ସେ ଆହୁରି କହିଲେ ଯେ, ଭାରତ ମସଲାର କଠିନ ପରିଶ୍ରମ ଦ୍ୱାରା ଆଜି ଯେଉଁ ସ୍ଥାନରେ ପହଂଚିଛି ତାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ସମ୍ଭାବନାର ରାଜ୍ୟ ହେଉଛି ଓଡ଼ିଶା । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ହେଉଛି ଗୋଟିଏ ଗୋଟିଏ ସମ୍ଭାବନା । କନ୍ଧମାଳର ହଳଦୀ କୁହନ୍ତୁ, କୋରାପୁଟର କଫି ଅବା ମିଲେଟ୍, କୁଚିଣ୍ଡାର ଲଙ୍କା କିମ୍ବା କଟକର ତାରକସି ଆଦି ଗୋଟିଏ ଗୋଟିଏ ଜିଲ୍ଳାକୁ ସ୍ୱତନ୍ତ୍ର ପରିଚୟ ଦେଇ ନୂତନ ସମ୍ଭବନା ସୃଷ୍ଟି କରିଛନ୍ତି । ଆମ ସରକାର ସେମାନଙ୍କ ଦକ୍ଷତା ବିକାଶରେ ଆଜି ସ୍ତମ୍ଭ ଭଳି ଠିଆ ହୋଇଛନ୍ତି । ମୁଁ ଧନ୍ୟବାଦ ଦେବି ଭାରତ ମସଲାର ପରିବାରକୁ କାରଣ ବଣମଲ୍ଲୀ ବଣରେ ଫୁଟି ମଉଳି ଯିବାକୁ ନଦେଇ ତା’ର ମହକକୁ ଖୋଜି ଆଣିଛନ୍ତି ଲୋକଲୋଚନକୁ । ସେମାନଙ୍କ ପ୍ରତିଭାକୁ ଚିହ୍ନଟ କରି ଆଜି ଏଭଳି ଏକ ବର୍ଣ୍ଣାଢ଼୍ୟ ମରେ ସମ୍ବର୍ଦ୍ଧିତ କରିଛନ୍ତି ତାକୁ ଯେତେ ଭୂୟସୀ ପ୍ରଶଂସା କଲେବି ତାହା କମ୍ ପଡିବ ବୋଲି ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ କହିଛନ୍ତି ।
ଜୟଭାରତ ଫାଉଣ୍ଡେସନ୍ର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ପୂଜ୍ୟପୂଜାର ପରମ୍ପରା ଭାରତ ପ୍ରତିଭା ସମ୍ମାନ ସମାରୋହରେ ବିଶିଷ୍ଟ ଅତିଥି ଭାବରେ କିମ୍ସ ଓ କିଟସ୍ର ପ୍ରତିଷ୍ଠାତା ତଥା ସମାଜସେବୀ ଡଃ ଅଚ୍ୟୁତ ସାମନ୍ତ ଯୋଗଦେଇ କହିଲେ ଯେ, ଗୋଟିଏ ଛୋଟିଆ କୁଟୀର ଶିଳ୍ପ ମାତ୍ର ୪ଶହ ଟଙ୍କାରୁ ଆରମ୍ଭ ହୋଇଥିବା ଭାରତ ମସଲା କଂପାନୀ ଆଜି ବାର୍ଷିକ ୧୫ଶହ କୋଟି ଟଙ୍କାର ବ୍ୟବସାୟ କରିପାରିଛି । ଏଥିରେ ତାଙ୍କର ପରିବାରର ସହଯୋଗ, ଅକ୍ଳାନ୍ତ ପରିଶ୍ରମ, ନିଷ୍ଠାପର ଉଦ୍ୟମ, ସରଳ ଓ ନିୟତ ପଣିଆ ଯୋଗୁ ସମ୍ଭବ ହୋଇପାରିଛି । ନିୟତ ରହିଲେ ମଣିଷ ଉପରକୁ ଉଠେ । ମଣିଷକୁ ଉପରକୁ ଉଠିବାକୁ ହେଲେ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି । ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ପଣ୍ଡା ଏ ବୟସରେ ନିୟତ ରଖି ଭାରତ ମସଲାକୁ ୨୩ଟି ବିଦେଶୀ ରାଷ୍ଟ୍ରରେ ପହଂଚାଇ ପାରିବାରେ ପ୍ରୟାସ ଜାରି ରଖିଛନ୍ତି, ପ୍ରକୃତରେ ସେ ହିଁ ରାଷ୍ଟ୍ରର ଶ୍ରେଷ୍ଠ ପୁରସ୍କାର ପାଇବାର ଯୋଗ୍ୟ ବୋଲି ମତ ରଖିଥିଲେ ।
ସମ୍ମାନିତ ଅତିଥି ଭାବରେ କୋରେଇର ବିଧାୟକ ତଥା ଅଭିନେତା ଅକାଶ ଦାସନାୟକ ଉକ୍ତ ଉତ୍ସବରେ ଯୋଗଦେଇ କହିଲେ ଯେ, ବହୁ ପ୍ରାଚୀନ କାଳର ଉଡ୍ର ଆଜିର ଓଡ଼ିଶା ନୌବାଣିଜ୍ୟରେ ମସଲା, ରୂପା ତାରକସି ଓ ପିଳ କାରୁକାର୍ଯ୍ୟ ଆଦି ବିଦେଶରେ ବ୍ୟବସାୟ କରୁଥିଲେ । ଆଜିର ଯୁବକମାନେ କେବଳ ସରକାରୀ ଚାକିରି ପଛରେ ଧାଉଁଛନ୍ତି । ଆଜି ସାରା ବିଶ୍ୱରେ ଓଡ଼ିଆମାନେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ସେଭଳି ପାରଦର୍ଶିତା ଦେଖାଇ ପାରିନାହାଁନ୍ତି । କିନ୍ତୁ ବ୍ୟବସାୟିକ କ୍ଷେତ୍ରରେ ଭାରତ ମସଲା ସାରା ବିଶ୍ୱରେ ଏକ ନିଆରା ଉଦାହରଣ ସୃଷ୍ଟି କରିପାରିଛି । ଆଜିର ଯୁବପିଢ଼ୀ ମାନଙ୍କ ପାଇଁ ଭାରତ ମସଲା କଂପାନୀ ହେଉଛି ଏକ ରୋଲ ମଡେଲ୍ । ଚାକରି ପଛରେ ନଗୋଡାଇ ଚାକିରି ବାିବା ନୀତିକୁ ଆଜିର ଯୁବପିଢ଼ୀ ମାନେ ଆପଣେଇ ନେବା ପାଇଁ ଶ୍ରୀଯୁକ୍ତ ଦାସନାୟକ ଆହ୍ୱାନ ଦେଇଥିଲେ ।
ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଏଥିରେ ଅଧ୍ୟକ୍ଷତା କରି କହିଲେ ଯେ, ଭାରତ ମସଲା ଆଜି ଶୀର୍ଷରେ ପହଂଚିବାରେ ଯେଉଁମାନଙ୍କ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ରହିଛନ୍ତି ମୋ କଂପାନୀରେ କର୍ମରତ ପ୍ରତ୍ୟେକଟି କର୍ମଚାରୀ । ସେମାନେ ମେସିନମ୍ୟାନ ହୁଅନ୍ତୁ ଅବା ସିକ୍ୟୁରିଟି ଗ୍ାର୍ଡ, ସେମାନେ ସେଲ୍ସମ୍ୟାନ ହୁଅନ୍ତୁ ଅବା ଡିଷ୍ଟ୍ରିବ୍ୟୁଟର ସମସ୍ତଙ୍କ ଅକ୍ଳାନ୍ତ ପରିଶ୍ରମ ଆଜି ଏକ ପଲ୍ଲୀରୁ ଆରମ୍ଭ ହୋଇଥିବା କଂପାନୀକୁ ଆଜି ବିଦେଶ ମାଟିରେ ସ୍ୱତନ୍ତ୍ର ପରିଚୟ ଦେଇଛି । ସିଧାସଳଖ ଭାବରେ ଆମେ ବିଭିନ୍ନ ଜିଲ୍ଲାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଆମେ ଉଚିତ୍ ମୂଲ୍ୟରେ କ୍ରୟ କରିଆସୁଛୁ । ଟମାଟୋ, ଲଙ୍କା, ଅଦା, ହଳଦୀ ଚାଷୀଙ୍କୁ ଅଭାବୀ ବିକ୍ରୟକୁ ଦୂରକରି ଏସ୍ଏସ୍ଜି ଜରିଆରେ ସଂଗ୍ରହ କରି କୃଷିଜାତ ଦ୍ରବ୍ୟ ଉତ୍ପାଦିତ କରିବା ପାଇଁ ସେମାନଙ୍କ ମନୋବଳକୁ ସୁଦୃଢ଼ କରିପାରିଛୁ ।
ଏଥିରେ ଅନ୍ୟତମ ଅତିଥି ଭାବରେ ବିଜେପି ନେତା ତଥା ଅଭିନେତା ଶ୍ରୀତମ ଦାସ ଯୋଗଦେଇ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅବତାରଣା କରିବା ସହ ଭାରତ ମସଲାର ଦୀର୍ଘ ୨୭ବର୍ଷର ଜୟଯାତ୍ରାର ସଫଳ କାମନା କରିଥିଲେ ।
ଉକ୍ତ ଉତ୍ସବର ପ୍ରାରମ୍ଭରେ ଭାରତ ମସଲାର ଜେନେରାଲ ମ୍ୟାନେଜର (ଅପରେସନ୍) ଅରୁଣ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଜୟ ଭାରତ ଫାଉଣ୍ଡେସନ୍ ପକ୍ଷରୁ ସଂପାଦିକା ନନ୍ଦିତା ପଣ୍ଡା ଓ ସହଯୋଗୀ ସଂପାଦକ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସଂପାଦନାରେ ପ୍ରକାଶିତ ବାର୍ଷିକ ସାହିତ୍ୟ ପତ୍ରିକା ‘ସମ୍ଭବାମି ଭାରତ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ ।
ପ୍ରଥମାର୍ଦ୍ଧରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କିଟ୍ସ, କିମ୍ସ, କିସ୍ର ପ୍ରତିଷ୍ଠାତା ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ‘ଭାରତ ଗୌରବ ସମ୍ମାନ’, ଭାରତୀୟ ନୌ-ସେନାର ଭାଇସ୍ ଆଡ୍ମିରାଲ୍ ରମାକାନ୍ତ ପଟ୍ଟନାୟକଙ୍କୁ ‘ସେବା ଭାରତ ସମ୍ମାନ’, ସମାଜବିଜ୍ଞାନୀ, ଭାଷା ତ୍ୱବିତ୍ ଓ ସାରସ୍ୱତ ସାଧକ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ‘କଥା ଭାରତ ସମ୍ମାନ’, ଓଡ଼ିଆ ସଂଗୀତ ଜଗତର ସୁନାମଧନ୍ୟା କଣ୍ଠଶିଳ୍ପୀ ତୃପ୍ତି ଦାଶଙ୍କୁ ‘ସଂସ୍କୃତି ଭାରତ ସମ୍ମାନ’, କ୍ରୀଡା କ୍ଷେତ୍ରରେ ସଫଳ କ୍ରିକେଟିୟର ରାଜେଶ କୁମାର ମହାନ୍ତିଙ୍କୁ ‘କ୍ରୀଡା ଭାରତ ସମ୍ମାନ’, ଲଘୁ ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମ୍ବଲପୁର ଜିଲ୍ଲା ବବ୍ରିବାହାଲ ବାମରା ଅଳର ଲତା ବାଗ୍ ଓ ପୁଷ୍ପଲତା ସାହୁଙ୍କୁ ‘ଉଦ୍ୟୋଗ ଭାରତ ସମ୍ମାନ’ ଓ ସେହିପରି ଶିକ୍ଷା କ୍ଷେତ୍ରରେ +୨ ବିଜ୍ଞାନ, ବାଣିଜ୍ୟ ଓ କଳାରେ ଯଥାକ୍ରମେ ମେଧା ବିଦ୍ୟାର୍ଥୀ କମଳାକାନ୍ତ ରଣା, ଶୁଭମ୍ ନାୟକ ଓ ଅଙ୍କିତା ନାୟକଙ୍କୁ ‘ବିଦ୍ୟାଭାରତ ସମ୍ମାନ’ରେ ଜୟ ଭାରତ ଫାଉଣ୍ଡେସନ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଭାରତ ମସଲାର ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା ଓ ନିର୍ଦ୍ଦେଶିକା ଏସ୍ଏନ୍ ମିଲେନିୟମ୍, ଜିଏମ୍ ବିପିନ୍ ରାଉତ, ଜିଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଦ୍ୱିତୀୟାର୍ଦ୍ଧରେ ବିଭିନ୍ନ ଜିଲ୍ଲା, ରାଜ୍ୟ ଓ ବିଦେଶରୁ ଆସିଥିବା ସଫଳ ବିତରକ, ବିକ୍ରେତା ଓ ଭାରତ ମସଲାରେ କର୍ମରତ ଶ୍ରେଷ୍ଠ କର୍ମଚାରୀମାନଙ୍କୁ ଅତିଥି ଏସସିବି ମେଡିକାଲ ମାନସିକ ବିଭାଗ ଡାକ୍ତର ଅଶ୍ରୁମୋଚନ ସାହୁ ଟ୍ରଫି ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ପ୍ରଜ୍ଞା ହୋତାଙ୍କ ଗ୍ରୁପ୍ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।