ଏୟାର ଇଣ୍ଡିଆକୁ ସୋ’କଜ୍ ନୋଟିସ୍

୭ ଦିନ ଭିତରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୫/୦୯: ଦିଲ୍ଲୀ ବିମାନବନ୍ଦରରୁ ବିନା ଇମିଗ୍ରେସନ୍ କ୍ଲିୟରାନ୍ସରେ ୩ ଜଣ ବିଦେଶୀ ନାଗରିକ ଦେଶ ଛାଡ଼ିବା ଘଟଣାକୁ ନେଇ ଏୟାର ଇଣ୍ଡିଆ ପାଇଁ ଅଡୁଆ ବଢ଼ିଛି। ଘଟଣାକୁ ଗୁରୁତର ସୁରକ୍ଷା ଓ ଇମିଗ୍ରେସନ୍ ସମ୍ପର୍କିତ ତ୍ରୁଟି ଦର୍ଶାଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟ ଏୟାର ଇଣ୍ଡିଆକୁ ସୋ’କଜ୍ ନୋଟିସ୍ ଜାରି କରିଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୩-୪ ତାରିଖ ରାତିରେ ୩ ଜଣ ଇଟାଲୀୟ ନାଗରିକ ଏୟାର ଇଣ୍ଡିଆର AI-1115 ବିମାନରେ ଅମୃତସରରୁ ଦିଲ୍ଲୀ ଆସିଥିଲେ। ବିମାନଟି ପ୍ରାୟ ରାତି ୧୨ଟା ୫୦ରେ ଦିଲ୍ଲୀରେ ପହଞ୍ଚିଥିଲା। ଏହାପରେ ସେମାନେ ଦିଲ୍ଲୀରୁ ଲୁଫ୍ଥାନ୍ସର LH-763 ବିମାନରେ ମ୍ୟୁନିଖ୍ ଯାତ୍ରା କରିଥିଲେ। ବିମାନଟି ପ୍ରାୟ ରାତି ୧ଟା ୪୫ରେ ଦିଲ୍ଲୀରୁ ଉଡ଼ାଣ ଭରିଥିଲା।

ମନ୍ତ୍ରାଳୟର ନୋଟିସ୍ ଅନୁସାରେ, ଏହି ୩ ଯାତ୍ରୀଙ୍କୁ ଅମୃତସରରୁ ହିଁ ଦିଲ୍ଲୀ-ମ୍ୟୁନିଖ୍ ଯାତ୍ରା ପାଇଁ ବୋର୍ଡିଂ ପାସ୍ ଦିଆଯାଇଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଭୁଲ୍‌ରେ ଇଣ୍ଟରନ୍ୟାସନାଲ୍-ଟୁ-ଇଣ୍ଟରନ୍ୟାସନାଲ୍ (I-to-I) ଟ୍ରାନ୍ସଫର୍ ଅଞ୍ଚଳକୁ ନିଆଯାଇଥିଲା। ଫଳରେ ଭାରତରୁ ବିଦେଶ ଯିବା ପୂର୍ବରୁ ଆବଶ୍ୟକ ଡିପାର୍ଚର୍ ଇମିଗ୍ରେସନ୍ ପ୍ରକ୍ରିୟା ହୋଇପାରିନଥିଲା।

ଏହି ଘଟଣାରେ ଏୟାର ଇଣ୍ଡିଆ ପକ୍ଷରୁ ଦୁଇଟି ସ୍ତରରେ ତ୍ରୁଟି ହୋଇଥିବା ନେଇ ପ୍ରାଥମିକ ଭାବେ ପ୍ରଶ୍ନ ଉଠିଛି। ପ୍ରଥମେ, ଅମୃତସରରେ ଯାତ୍ରୀମାନଙ୍କୁ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରା ପାଇଁ ବୋର୍ଡିଂ ପାସ୍ ଦିଆଯାଇଥିଲା। ପରେ ଦିଲ୍ଲୀରେ ସେମାନେ ଇମିଗ୍ରେସନ୍ କ୍ଲିୟର କରିଛନ୍ତି କି ନାହିଁ, ତାହା ଇଲେକ୍ଟ୍ରୋନିକ୍ କିମ୍ବା ମାନୁଆଲ୍ ଭାବେ ଯାଞ୍ଚ ହୋଇନଥିଲା।

ଏ ନେଇ ମନ୍ତ୍ରାଳୟ ଏୟାର ଇଣ୍ଡିଆକୁ ୭ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କହିଛି। ନିର୍ଦ୍ଧାରିତ ସମୟରେ ଜବାବ ନଦେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ନୋଟିସ୍‌ରେ କୁହାଯାଇଛି।