ନେପାଳକୁ ୧୮ ଘଣ୍ଟିଆ ବିଦ୍ୟୁତ ଯୋଗାଇବ ଭାରତ

ବିଦ୍ୟୁତ ସଙ୍କଟ ବେଳେ ନେପାଳକୁ ଭାରତର ବଡ଼ ସହାୟତା

ନୂଆଦିଲ୍ଲୀ, ୧୫/୦୯: ନିକଟରେ ପ୍ରାକୃତିକ ବିପର୍ଯ୍ୟୟରେ ଧ୍ୱସ୍ତ ବିଧ୍ୱସ୍ତ ନେପାଳର ଜଳବିଦ୍ୟୁତ ଭିତ୍ତିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହେବା ପରେ ଦେଶରେ ବିଦ୍ୟୁତ ଅଭାବ ଦେଖାଦେଇଛି। ଏହି ସଙ୍କଟ ସମୟରେ ନେପାଳକୁ ସହାୟତାର ହାତ ବଢ଼ାଇଛି ଭାରତ। କେନ୍ଦ୍ର ବିଦ୍ୟୁତ ମନ୍ତ୍ରାଳୟ ଦିନକୁ ୧୮ ଘଣ୍ଟା ପର୍ଯ୍ୟନ୍ତ ନେପାଳକୁ ବିଦ୍ୟୁତ ରପ୍ତାନି ପାଇଁ ଅନୁମତି ଦେଇଛି। ଏହି ବ୍ୟବସ୍ଥା ୨୦୨୬ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ।

ଅନୁମୋଦନ ଅନୁସାରେ, ନେପାଳକୁ ସର୍ବାଧିକ ୬୫୪ ମେଗାୱାଟ୍‌ ବିଦ୍ୟୁତ ଯୋଗାଇ ଦିଆଯାଇପାରିବ। ଏଥିରୁ ୬୦୦ ମେଗାୱାଟ୍‌ ମୁଜାଫରପୁର-ଢଲକେବର ୪୦୦ କେଭି ଡବଲ୍-ସର୍କିଟ୍‌ ଟ୍ରାନ୍ସମିସନ୍ ଲାଇନ୍‌ ମାଧ୍ୟମରେ ଏବଂ ଆଉ ୫୪ ମେଗାୱାଟ୍‌ ଟନକପୁର-ମହେନ୍ଦ୍ରନଗର ୧୩୨ କେଭି ସିଙ୍ଗଲ୍-ସର୍କିଟ୍‌ ଲାଇନ୍‌ ମାଧ୍ୟମରେ ଯୋଗାଣ ହେବ। ଏହି ବିଦ୍ୟୁତ ଯୋଗାଣ ରାତି ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ, ଅର୍ଥାତ୍ ଦିନକୁ ୧୮ ଘଣ୍ଟା ପାଇଁ ଅନୁମୋଦିତ ହୋଇଛି।

ସାମ୍ପ୍ରତିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ନେପାଳର ଜଳବିଦ୍ୟୁତ ପ୍ରକଳ୍ପ ଓ ଅନ୍ୟାନ୍ୟ ବିଦ୍ୟୁତ ଭିତ୍ତିଭୂମିର ବ୍ୟାପକ କ୍ଷତି ହୋଇଛି। ପ୍ରାୟ ୫୫୦ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ କ୍ଷମତା କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ଫଳରେ ନେପାଳର ଭାରତକୁ ବିଦ୍ୟୁତ ରପ୍ତାନି ମଧ୍ୟ ପ୍ରାୟ ୪୦୦ ମେଗାୱାଟ୍‌ କମିଛି।

ନେପାଳ ନିଜ ଜଳବିଦ୍ୟୁତ ଉତ୍ପାଦନରେ ଗୁରୁତର କ୍ଷତି ସାମ୍ନା କରୁଥିବାରୁ ଘରୋଇ ଚାହିଦା ପୂରଣ ପାଇଁ ଭାରତରୁ ଅଧିକ ବିଦ୍ୟୁତ ଆମଦାନିର ଆବଶ୍ୟକତା ପଡ଼ିଛି। ଏହି ପରିସ୍ଥିତିରେ ଭାରତର ଅତିରିକ୍ତ ବିଦ୍ୟୁତ ଯୋଗାଣ ନେପାଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସହାୟତା ହେବ।