୨ ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ଦେଣନେଣ ଦେୟମୁକ୍ତ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ଗେଜେଟ୍ ନୋଟିଫିକେସନ୍

ନୂଆଦିଲ୍ଲୀ, ୧୫/୦୯: ୟୁପିଆଇ ଦେଣନେଣକୁ ନେଇ କେନ୍ଦ୍ର ସରକାର ନୂଆ ସ୍ପଷ୍ଟୀକରଣ ଜାରି କରିଛନ୍ତି। ୨ ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ଦେଣନେଣ ଉପରେ ବ୍ୟାଙ୍କ କିମ୍ବା ପେମେଣ୍ଟ ସିଷ୍ଟମ୍ ପ୍ରୋଭାଇଡର କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଚାର୍ଜ ଲଗାଇପାରିବେ ନାହିଁ। ଏହା ସହିତ ରୁପେ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଉଥିବା ପେମେଣ୍ଟକୁ ମଧ୍ୟ ଦେୟମୁକ୍ତ ରଖାଯାଇଛି।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୪, ୨୦୨୬ରେ ଗେଜେଟ୍ ନୋଟିଫିକେସନ୍ ଜାରି ହୋଇଛି। ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ସିଷ୍ଟମ୍ସ ଆକ୍ଟ, ୨୦୦୭ର ଧାରା ୧୦(କ) ଅଧୀନରେ ଏହି ନିୟମ ଜାରି କରାଯାଇଛି। ନୋଟିଫିକେସନ୍‌ରେ ରୁପେ ଡେବିଟ୍ କାର୍ଡ ଏବଂ ୨ ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ଦେଣନେଣକୁ ନିର୍ଦ୍ଦିଷ୍ଟ ‘ଇଲେକ୍ଟ୍ରୋନିକ୍ ମୋଡ୍ ଅଫ୍ ପେମେଣ୍ଟ’ ଭାବେ ଉଲ୍ଲେଖ କରାଯାଇଛି।

ନୂଆ ନିୟମ ଅନୁସାରେ, ଏହି ନିର୍ଦ୍ଦିଷ୍ଟ ପେମେଣ୍ଟ ମାଧ୍ୟମ ବ୍ୟବହାର କରୁଥିବା ଟଙ୍କା ପଠାଉଥିବା ବ୍ୟକ୍ତି କିମ୍ବା ଟଙ୍କା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ବ୍ୟାଙ୍କ କିମ୍ବା ସିଷ୍ଟମ୍ ପ୍ରୋଭାଇଡର କୌଣସି ଚାର୍ଜ ଲଗାଇପାରିବେ ନାହିଁ। ଅର୍ଥାତ୍ ଛୋଟ ମୂଲ୍ୟର ଡିଜିଟାଲ୍ ପେମେଣ୍ଟ ପାଇଁ ଗ୍ରାହକଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ।