ୱାଶିଂଟନ୍, ୧୫/୦୯: ମହାକାଶକୁ ନେଇ ବଢ଼ୁଥିବା ଆମେରିକା-ଚୀନ୍-ରୁଷ ରଣନୈତିକ ପ୍ରତିଯୋଗିତା ମଧ୍ୟରେ ଆମେରିକା ଏକ ବଡ଼ ଦାବି କରିଛି। ଆମେରିକାର ଏୟାର ଫୋର୍ସ ସେକ୍ରେଟାରୀ ଟ୍ରୟ ମେଇଙ୍କ ସେପ୍ଟେମ୍ବର ୧୪ରେ ପ୍ରଥମଥର ପାଇଁ ସାର୍ବଜନୀନ ଭାବେ ସ୍ୱୀକାର କରିଛନ୍ତି ଯେ ଆମେରିକାର ମହାକାଶରେ ‘ସ୍ପେସ୍ କଣ୍ଟ୍ରୋଲ୍ ୱିପନ୍’ ମୁତୟନ ହୋଇଛି। ଏହି ଅସ୍ତ୍ରଗୁଡ଼ିକ ଅର୍ବିଟ୍ରେ ରହି ଆମେରିକୀୟ ସେନାକୁ ଶତ୍ରୁପକ୍ଷର ମହାକାଶୀୟ ଆକ୍ରମଣ କିମ୍ବା ହସ୍ତକ୍ଷେପରୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ହେବ ବୋଲି ସେ କହିଛନ୍ତି।
ମେଇଙ୍କଙ୍କ ଅନୁସାରେ, ଆମେରିକାର ସ୍ପେଶ ଫୋର୍ସ ପାଖରେ ଏବେ ଅର୍ବିଟ୍ରେ ‘ସ୍ପେଶ କଣ୍ଟ୍ରୋଲ ୱିପନ୍ସ’ ରହିଛି। ଏହାର ନିର୍ଦ୍ଦିଷ୍ଟ ପ୍ରକାର, ସଂଖ୍ୟା କିମ୍ବା କେଉଁ କକ୍ଷପଥରେ ଏଗୁଡ଼ିକ ରହିଛି, ସେ ସମ୍ପର୍କରେ ସେ ବିସ୍ତୃତ ସୂଚନା ଦେଇନାହାନ୍ତି।
ତେବେ ଏହା ପୂର୍ବରୁ ଆମେରିକା ମହାକାଶରେ ନିଜ ସାଟେଲାଇଟ୍ଗୁଡ଼ିକୁ ଶତ୍ରୁପକ୍ଷର ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ‘କାଉଣ୍ଟର ସ୍ପେଶ’ କ୍ଷମତା ବିକଶିତ କରୁଥିବା ନେଇ ସୂଚନା ଥିଲା।
କାହିଁକି ମହାକାଶରେ ଅସ୍ତ୍ର?
ଆଜିର ଯୁଦ୍ଧ ବ୍ୟବସ୍ଥାରେ ସାଟେଲାଇଟ୍ର ଭୂମିକା ଅତ୍ୟନ୍ତ ବଡ଼। ଯୋଗାଯୋଗ, ନାଭିଗେସନ୍, ଗୁପ୍ତଚର ତଥ୍ୟ, ମିସାଇଲ୍ ଚେତାବନୀ ଏବଂ ସାମରିକ ଅଭିଯାନ—ଏସବୁ କ୍ଷେତ୍ରରେ ସାଟେଲାଇଟ୍ ଉପରେ ନିର୍ଭରଶୀଳତା ବଢ଼ିଛି।
ତେଣୁ କୌଣସି ଦେଶର ସାଟେଲାଇଟ୍କୁ ଅକାମୀ କରିଦେବା କିମ୍ବା ତାହାର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଯୁଦ୍ଧ ସମୟରେ ବଡ଼ ରଣନୈତିକ ପ୍ରଭାବ ପକାଇପାରେ। ଆମେରିକା କହୁଛି, ଅର୍ବିଟ୍ରେ ଥିବା ନିଜର ମହାକାଶ ସମ୍ପତ୍ତିକୁ ଏଭଳି ବାଧା ସୃଷ୍ଟିରୁ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଆମେରିକାର ଏହି ଘୋଷଣା ପଛରେ ଚୀନ୍ ଓ ରୁଷର ବଢ଼ୁଥିବା ମହାକାଶୀୟ ସାମରିକ କ୍ଷମତା ମଧ୍ୟ ଏକ ବଡ଼ କାରଣ ବୋଲି କୁହାଯାଉଛି। ଗତ କିଛି ବର୍ଷରେ ଉଭୟ ଦେଶ ସାଟେଲାଇଟ୍ ନିକଟକୁ ଯାଇପାରୁଥିବା ଏବଂ ଅର୍ବିଟ୍ରେ ଚଳପ୍ରଚଳ କରିପାରୁଥିବା ସାମରିକ ମହାକାଶ ପ୍ରଯୁକ୍ତିରେ ଗୁରୁତ୍ୱ ଦେଇଛନ୍ତି। ତେଣୁ ମହାକାଶ ଏବେ କେବଳ ବୈଜ୍ଞାନିକ ଗବେଷଣା କିମ୍ବା ସାଟେଲାଇଟ୍ ଯୋଗାଯୋଗର କ୍ଷେତ୍ର ହୋଇ ରହିନାହିଁ; ଏହା ଜାତୀୟ ସୁରକ୍ଷା ଓ ସାମରିକ ରଣନୀତିର ଏକ ପ୍ରମୁଖ କ୍ଷେତ୍ରରେ ପରିଣତ ହେଉଛି।