ରାହୁଲ ଗାନ୍ଧୀଙ୍କ ସମ୍ଭାବ୍ୟ ଓଡ଼ିଶା ଗସ୍ତକୁ ନେଇ ବିଜେପିର ପ୍ରତିକ୍ରିୟା

ରାହୁଲଙ୍କ ଗସ୍ତ ଓଡ଼ିଶା ରାଜନୀତିରେ କୌଣସି ପ୍ରଭାବ ପକାଇବନି: ଅନିଲ ବିଶ୍ୱାଳ

ଭୁବନେଶ୍ୱର, ୧୫/୦୯: ଅକ୍ଟୋବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବା ନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଛାତ୍ର ଓ ଯୁବବର୍ଗଙ୍କୁ ନେଇ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ତାଙ୍କ ଓଡ଼ିଶା ଗସ୍ତ ସମ୍ଭାବନା ରହିଛି।

ତେବେ ରାହୁଲଙ୍କ ସମ୍ଭାବ୍ୟ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ରାହୁଲ ଗାନ୍ଧୀ ଓଡ଼ିଶା ଆସିଲେ ମଧ୍ୟ ଏହାର କୌଣସି ବଡ଼ ରାଜନୈତିକ ପ୍ରଭାବ ରାଜ୍ୟରେ ପଡ଼ିବ ନାହିଁ। ଏହି ଗସ୍ତ କେବଳ କଂଗ୍ରେସର କିଛି କର୍ମୀଙ୍କୁ ଉତ୍ସାହିତ କରିପାରେ, କିନ୍ତୁ ସାଧାରଣ ଭୋଟରଙ୍କ ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ।

ଓଡ଼ିଶାବାସୀ କଂଗ୍ରେସର ଅତୀତର ଶାସନକୁ ଭୁଲି ନାହାନ୍ତି। ବିଗତ ଅନେକ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଭୋଟ ଓ ଆସନ ସଂଖ୍ୟାରେ ହୋଇଥିବା ଅବନତିକୁ ଦଳର ଦୁର୍ବଳ ସ୍ଥିତିର ପ୍ରମାଣ ଭାବେ ବିଜେପି ଦେଖାଉଛି।

ଏହା ସହିତ କଂଗ୍ରେସ ଭିତରେ ଥିବା ଗୋଷ୍ଠୀ ବିବାଦ ମଧ୍ୟ ଦଳର ସାଂଗଠନିକ ସ୍ଥିତିକୁ ଦୁର୍ବଳ କରିଛି। ତେଣୁ ଜାତୀୟ ସ୍ତରର ଜଣେ ବଡ଼ ନେତା ଓଡ଼ିଶା ଆସିଲେ ମଧ୍ୟ ତାହା ଭୋଟରଙ୍କ ମନୋଭାବରେ ବଡ଼ ପରିବର୍ତ୍ତନ ଆଣିପାରିବ ନାହିଁ ବୋଲି ଅନିଲ ବିଶ୍ୱାଳ କହିଛନ୍ତି।