ଭୁବନେଶ୍ୱର, ୧୫/୦୯: ଓଡ଼ିଶା ଆସିପାରନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଆସନ୍ତା ଅକ୍ଟୋବର ମାସରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତ କରିବା ନେଇ ସୂଚନା ମିଳିଛି। କଂଗ୍ରେସ ପକ୍ଷରୁ ଆୟୋଜିତ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ସେ ଯୋଗ ଦେଇପାରନ୍ତି। ଏନେଇ ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି।
‘ଛାତ୍ରୋଁ କି ଗୁଞ୍ଜ’ ହେଉଛି କଂଗ୍ରେସର ଛାତ୍ର ଓ ଯୁବବର୍ଗଙ୍କୁ ନେଇ ଏକ ବିଶେଷ ଜନସମ୍ପର୍କ କାର୍ଯ୍ୟକ୍ରମ। ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପରୀକ୍ଷା, ପେପର୍ ଲିକ୍, ଶିକ୍ଷା ଖର୍ଚ୍ଚ, ଚାକିରି ଓ ଭବିଷ୍ୟତ ସମ୍ପର୍କିତ ସମସ୍ୟା ଉପରେ ଆଲୋଚନା କରାଯାଉଛି। ରାହୁଲ ଗାନ୍ଧି ଏହି ମଞ୍ଚ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି
କଂଗ୍ରେସର ଏହି ଛାତ୍ର ସଂପର୍କ ଅଭିଯାନ କୋଟାରୁ ଆରମ୍ଭ ହୋଇଥିବାବେଳେ ପରେ ଡେରାଡୁନ, ପ୍ରୟାଗରାଜ ଓ ପୁଣେରେ ମଧ୍ୟ କାର୍ଯ୍ୟକ୍ରମ ହୋଇଛି। ସେପ୍ଟେମ୍ବର ୧୯ରେ ମଧ୍ୟପ୍ରଦେଶର ଇନ୍ଦୋରରେ ରାହୁଲ ଗାନ୍ଧି ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା କଂଗ୍ରେସ ପକ୍ଷରୁ ଜଣାପଡ଼ିଛି।
କଂଗ୍ରେସ ଏହି ଅଭିଯାନକୁ ଦେଶବ୍ୟାପୀ କରିବାକୁ ଯୋଜନା କରିଛି। ପ୍ରଥମ ପର୍ଯ୍ୟାୟରେ ୨୮ଟି କାର୍ଯ୍ୟକ୍ରମ ଏବଂ ପରବର୍ତ୍ତୀ ସମୟରେ ପ୍ରାୟ ୮୦୦ଟି ସହର ଓ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ିବାକୁ ଦଳ ଯୋଜନା କରିଛି।
ତେବେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଲେ ରାହୁଲ ଗାନ୍ଧିଙ୍କ ସହ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ତେବେ କାର୍ଯ୍ୟକ୍ରମର ନିର୍ଦ୍ଦିଷ୍ଟ ତାରିଖ, ସ୍ଥାନ ବା ଅନ୍ୟାନ୍ୟ ସୂଚନା ମିଳିନାହିଁ।