ଭୁବନେଶ୍ୱର, ୧୫/୦୯: ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ମୁକ୍ତି ଆଶା ଏବେ କ୍ଷୀଣ ହୋଇଛି। ଓଡ଼ିଶାର ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB) ତାଙ୍କ ଆଗୁଆ ମୁକ୍ତି ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛି। ଅଗଷ୍ଟ ୩୧ରେ ହୋଇଥିବା ବୋର୍ଡର ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ଦାରା ସିଂଙ୍କ ମାମଲାକୁ ନେଇ ଗତ କିଛି ମାସ ଧରି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ବାରମ୍ବାର ସରକାରୀ ସ୍ତରରେ ନିଷ୍ପତ୍ତି ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ମଧ୍ୟ ଓଡ଼ିଶା ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ଅଗଷ୍ଟ ୧୯ରେ କୋର୍ଟ SSRBକୁ ନିଷ୍ପତ୍ତି ନେଇ ଅବଗତ କରାଇବାକୁ କହିଥିଲେ। ଏପରିକି ନିଷ୍ପତ୍ତି ନିଆନଗଲେ କୋର୍ଟ ନିଜେ ଏହି ପ୍ରସଙ୍ଗରେ ପଦକ୍ଷେପ ନେବେ ବୋଲି କଠୋର ମନ୍ତବ୍ୟ ଦେଇଥିଲେ।
ସୂଚନା ଅନୁସାରେ, ଦାରା ସିଂଙ୍କ ଆଗୁଆ ମୁକ୍ତିକୁ ନେଇ ସାମାଜିକ ପ୍ରଭାବ ଏବଂ ସାମ୍ପ୍ରଦାୟିକ ଅଶାନ୍ତି ହେବାର ଆଶଙ୍କା କରିଛି ବୋର୍ଡ। ଅଗଷ୍ଟ ୧୫ରେ କେନ୍ଦୁଝର ଜିଲ୍ଲା ଜେଲ୍ ବାହାରେ ପ୍ରାୟ ୨୦୦ରୁ ୨୫୦ ଜଣ ଦାରା ସେନା ସହ ସମ୍ପୃକ୍ତ ବ୍ୟକ୍ତି ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିବା ନେଇ ରିପୋର୍ଟ ଦିଆଯାଇଥିଲା। ଏହି ଘଟଣାକୁ ମଧ୍ୟ ବୋର୍ଡ ବିଚାରକୁ ନେଇଛି।
ପୂର୍ବରୁ ୫ ଥର ଆବେଦନ ଖାରଜ
ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଏହା ପ୍ରଥମ ଥର ଖାରଜ ହୋଇନାହିଁ। ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ମଧ୍ୟ SSRB ତାଙ୍କ ଆବେଦନ ଖାରଜ କରିଥିଲା। ଏଥିରେ ସାମ୍ପ୍ରଦାୟିକ ସଦ୍ଭାବ ଓ ସାମାଜିକ ପ୍ରଭାବ ଆଶଙ୍କା ପ୍ରକାଶ ପାଇଥିଲା।
ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ
୧୯୯୯ ମସିହା ଜାନୁଆରୀ ୨୨ରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଅଷ୍ଟ୍ରେଲୀୟ ଖ୍ରୀଷ୍ଟିଆନ୍ ମିଶନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅ ଫିଲିପ୍ ଏବଂ ଟିମୋଥିଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସମୟରେ ସେମାନେ ଏକ ଗାଡ଼ିରେ ଶୋଇଥିଲେ। ମାମଲାରେ ଦାରା ସିଂଙ୍କୁ ମୁଖ୍ୟ ଦୋଷୀ ଭାବେ ଦଣ୍ଡିତ କରାଯାଇଥିଲା।
ଏହି ମାମଲାରେ ୨୦୦୩ରେ ସିବିଆଇ କୋର୍ଟ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ମଧ୍ୟ ଦଣ୍ଡାଦେଶକୁ ବଜାୟ ରଖିଥିଲେ।
ଦାରା ସିଂ ପ୍ରାୟ ୨୬ ବର୍ଷ ୬ ମାସରୁ ଅଧିକ ସମୟ ଧରି କାରାଗାରରେ ଅଛନ୍ତି। ତାଙ୍କ ପକ୍ଷରୁ ୨୦୨୪ରେ ସୁପ୍ରିମକୋର୍ଟରେ ଆଗୁଆ ମୁକ୍ତି ପାଇଁ ଆବେଦନ କରାଯାଇଥିଲା। ମାମଲାଟି ଦୀର୍ଘ ସମୟ ଧରି ବିଚାରାଧୀନ ରହିଥିବାରୁ କୋର୍ଟ ବାରମ୍ବାର ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ କହିଥିଲେ। ଏବେ ଏସଏସଆରବି ଆବେଦନ ଖାରଜ କରିଥିବାରୁ ଆସନ୍ତା ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ।