ଭାରତ ଉପରେ ଲାଗିବ ୧୦୦% ଟାରିଫ !

ଆମେରିକାର ହାଉସ୍‌ ଅଫ୍ ରିପ୍ରେଜେଣ୍ଟିଭ୍‌ସରେ ବିଲ୍ ପାସ୍

ୱାଶିଂଟନ, ୧୭/୦୯: ରୁଷିଆ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛି ଆମେରିକା। ରୁଷିଆ ଉପରେ କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା କଂଗ୍ରେସର ନିମ୍ନ ସଦନ ‘ହାଉସ୍‌ ଅଫ୍ ରିପ୍ରେଜେଣ୍ଟିଭ୍‌ସ’ରେ ଏକ ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ ହୋଇଛି। ଏହି ବିଲ୍ ସପକ୍ଷରେ ୨୬୨ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୧୫୯ଟି ଭୋଟ୍ ପଡ଼ିଛି। ଏହି ନୂତନ ପଦକ୍ଷେପ ରୁଷିଆର ଅର୍ଥନୀତିକୁ ପଛକୁ ନେବା ସହ ଏହା ସହ ବାଣିଜ୍ୟିକ ସମ୍ପର୍କ ରଖୁଥିବା ଅନ୍ୟ ଦେଶଗୁଡ଼ିକ ଉପରେ ଗଭୀର ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି।

ହାଉସ୍‌ ଅଫ୍ ରିପ୍ରେଜେଣ୍ଟିଭ୍‌ସରେ ପାରିତ ହେବା ପରେ, ଏହି ବିଲ୍‌ଟି ଅନ୍ତିମ ମଞ୍ଜୁରୀ ଓ ଆଇନ୍‌ରେ ପରିଣତ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖକୁ ପଠାଯିବ। ରାଷ୍ଟ୍ରପତି ଏଥିରେ ସ୍ବାକ୍ଷର କରିବା ମାତ୍ରେ ଏହା ଆମେରିକାର ଆଞ୍ଚଳିକ ଓ ଆନ୍ତର୍ଜାତୀୟ ନୀତିର ଏକ ଅଂଶ ପାଲଟିଯିବ। ତେବେ ଏହି ଆଇନ୍‌ ପ୍ରଣୟନ ହେଲେ କେବଳ ରୁଷିଆ ନୁହେଁ, ବରଂ ରୁଷିଆ ଠାରୁ କ୍ରମାଗତ ଭାବେ ଶସ୍ତାରେ ଅଶୋଧିତ ତେଲ ଓ ଗ୍ୟାସ୍ ଆମଦାନୀ କରୁଥିବା ଭାରତ, ଚୀନ୍ ଏବଂ ଅନ୍ୟ କେତେକ ବୃହତ୍ ଗ୍ରାହକ ଦେଶ ମଧ୍ୟ ସିଧାସଳଖ ପ୍ରଭାବିତ ହେବେ।

ଏହି ବିଲ୍ ସପକ୍ଷରେ ୨୬୨ ଜଣ ଭୋଟିଂ ଦେଇଥିବା ବେଳେ ବିପକ୍ଷରେ ୧୫୯ ଟି ଭୋଟ ପଡ଼ିଛି। ଏହାର ମୁଖ୍ୟ ପ୍ରାବଧାନ ହେଉଛି ରୁଷିଆରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦% ପର୍ଯ୍ୟନ୍ତ ଟାରିଫ୍ ବା ଆର୍ଥିକ କଟକଣା ଲଗାଇବା। ରୁଷିଆର ଶକ୍ତି କ୍ଷେତ୍ରରୁ ମିଳୁଥିବା ରାଜସ୍ବକୁ ସମ୍ପୂର୍ଣ୍ଣ ରୋକିବା ଏହାର ମୂଳ ଲକ୍ଷ୍ୟ।

ଏହି ବିଲ୍‌ରେ ସବୁଠାରୁ କଠୋର ପ୍ରାବଧାନ ରହିଛି ରୁଷିଆର ଶକ୍ତି କ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ଦୁର୍ବଳ କରିବା। ବିଲ୍‌ ଅନୁଯାୟୀ, ଯେଉଁ ଦେଶଗୁଡ଼ିକ ରୁଷିଆ ଠାରୁ ତେଲ, ଗ୍ୟାସ୍ କିମ୍ବା ଅନ୍ୟାନ୍ୟ ଶକ୍ତି ସମ୍ପଦ କିଣିବା ଜାରି ରଖିବେ, ସେହି ଦେଶଗୁଡ଼ିକରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ କିମ୍ବା ଟାରିଫ୍ ଲଗାଯାଇପାରେ।

ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ଏବଂ ଚୀନ୍ ରୁଷିଆ ଠାରୁ ବୃହତ୍ ପରିମାଣରେ ଅଶୋଧିତ ତେଲ ଆମଦାନୀ କରିଆସୁଛନ୍ତି। ଭାରତ ନିଜର ଶକ୍ତି ଆବଶ୍ୟକତା ପୂରଣ କରିବା ସହ ଦେଶରେ ଜାଳେଣି ଦର ନିୟନ୍ତ୍ରଣରେ ରଖିବା ପାଇଁ ରୁଷୀୟ ତେଲ ଉପରେ ନିର୍ଭର କରୁଛି। ଯଦି ଆମେରିକାର ଏହି ବିଲ୍ ଆଇନ୍‌ରେ ପରିଣତ ହୁଏ, ତେବେ ଭାରତ ପାଇଁ ଏକ ଦ୍ବନ୍ଦ୍ବପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବ। ଗୋଟିଏ ପଟେ ଆମେରିକା ସହ ବାଣିଜ୍ୟିକ ସମ୍ପର୍କରେ ଟାରିଫ୍ ଚାପ ପଡ଼ିବା ଆଶଙ୍କା ରହିବ, ଅନ୍ୟପଟେ ନିଜର ଶକ୍ତି ସୁରକ୍ଷା ପାଇଁ ବିକଳ୍ପ ଖୋଜିବାକୁ ପଡ଼ିବ।