ଜାତୀୟ ଜୁନିୟର ଥ୍ରୋ-ବଲ୍ରେ ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତଙ୍କୁ ସ୍ୱର୍ଣ୍ଣ ପଦକ
ନିରନ୍ତର ପରିଶ୍ରମ ଓ ନିଷ୍ଠା ବଳରେ ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ
କଲ୍ୟାଣସିଂହପୁର, ୦୪/୧୦ (ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ପଲମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ସୁଶାନ୍ତ ମାଣ୍ଡିକା ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି। ମହାରାଷ୍ଟ୍ରର ନାସିକଠାରେ ଅନୁଷ୍ଠିତ ଜାତୀୟ ଜୁନିୟର ଥ୍ରୋ-ବଲ୍ ପ୍ରତିଯୋଗିତାରେ ସେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସୁଶାନ୍ତ ମାଣ୍ଡିକା ସ୍ଥାନୀୟ ଧାମୁଣିପାଙ୍ଗା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀଗୁଡ଼ା ଗ୍ରାମର ବାସିନ୍ଦା ଅଟନ୍ତି।
ସୁଶାନ୍ତ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବାବୁଲା ମେଲାକାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିୟମିତ କଠିନ ଅଭ୍ୟାସ ଓ ତାଲିମ ଜାରି ରଖିଥିଲେ। ତାଙ୍କର ନିରନ୍ତର ପରିଶ୍ରମ ଓ ନିଷ୍ଠା ବଳରେ ସେ ଜାତୀୟ ସ୍ତରରେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଫେରିବା ପରେ ରାୟଗଡା ରେଳ ଷ୍ଟେସନରେ ତାଙ୍କୁ ବିପୁଳ ଉତ୍ସାହ ସହ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଗ୍ରାମବାସୀ ତଥା ସ୍ଥାନୀୟ କ୍ରୀଡ଼ାପ୍ରେମୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ସୁଶାନ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସୁଶାନ୍ତଙ୍କ ଏହି ସଫଳତା ସମଗ୍ର କଲ୍ୟାଣସିଂହପୁର ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି।