ଫ୍ଲାଏଦୁବାଇ ବିମାନ ଘଟଣା: ୯/୧୧ ଭଳି ଆକ୍ରମଣ ପାଇଁ ଯୋଜନା କରିଥିଲା ହମ୍ମାମୀ

ଟାର୍ଗେଟରେ ଥିଲା ବେନ୍ ଗୁରିୟନ୍ ବିମାନବନ୍ଦର

ଦୁବାଇ/ତେଲ୍ ଅଭିଭ୍, ୦୫/୧୦: ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନ (Flight 1073) କକପିଟ୍‌ରେ ଭାରତୀୟ କ୍ୟାପଟେନ ସ୍ମିତ୍ ମଚ୍ଛାରଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ଥିଲା ବୋଲି ତଦନ୍ତକାରୀ ସଂସ୍ଥାମାନେ ସ୍ପଷ୍ଟ କରିଛନ୍ତି। ୨୯ ବର୍ଷୀୟ ଓମାନୀ ନାଗରିକ କୋ-ପାଇଲଟ୍ ହମାମ୍ ଅଲ୍-ହମ୍ମାମୀ କ୍ୟାପଟେନଙ୍କୁ ହତ୍ୟା କରି ବିମାନକୁ ହାଇଜ୍ୟାକ୍ କରିବା ସହ ତେଲ୍ ଅଭିଭ୍‌ର ଏକ ଉଚ୍ଚ ଅଟଳିକା କିମ୍ବା ବେନ୍ ଗୁରିୟନ୍ ବିମାନବନ୍ଦରରେ ଧକ୍କା ଦେଇ ୯/୧୧ ଶୈଳୀରେ ଏକ ଭୟାନକ ଆକ୍ରମଣ କରିବାକୁ ଯୋଜନା ରଖିଥିଲା।

ଇସ୍ରାଏଲ୍‌ର ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଅଲ୍-ହମ୍ମାମୀ ଏହି ଯୋଜନାରେ ଏକାକୀ କାର୍ଯ୍ୟ କରୁଥିଲା। ଇଟାଲୀୟ ସମ୍ବାଦପତ୍ର କୋରିରେ ଡେଲା ସେରାର ରିପୋର୍ଟ ଅନୁଯାୟୀ, ସେ ସେପ୍ଟେମ୍ବର ୩୦ ତାରିଖରେ ମଚ୍ଛାରଙ୍କୁ ଗୁପ୍ତରେ ହତ୍ୟା କରି, ବିମାନର ଇଞ୍ଜିନ୍ ବନ୍ଦ କରି ତେଲ୍ ଅଭିଭ୍‌ର ଏକ ବିଲ୍ଡିଂରେ ବିମାନକୁ ପିଟିଦେବାକୁ ଚାହୁଁଥିଲା। ଆଲାର୍ମ ନ ବାଜିବା ଏବଂ ପର୍ଯ୍ୟାପ୍ତ ସମୟ ପାଇବା ପାଇଁ ସେ ବିମାନଟି ଜୋର୍ଡାନ ଆକାଶମାର୍ଗରେ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଯୋଜନା କରିଥିଲା। ସେ ଜୁଲାଇ ମାସରେ ମଧ୍ୟ ଏହି ଆକ୍ରମଣ କରିବାକୁ ଯୋଜନା କରିଥିଲା, କିନ୍ତୁ ବିମାନର ଜଣେ କ୍ରିୟୁ ମେମ୍ବର ତାଙ୍କର ସାଙ୍ଗ ଥିବାରୁ ସେହି ସମୟରେ ଯୋଜନା ସ୍ଥଗିତ ରଖିଥିଲା।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ ତାରିଖରେ ବିମାନର କକପିଟ୍ ଭିତରେ ହମ୍ମାମୀ ପାଇଲଟ ସ୍ମିତ ମଚ୍ଛାରଙ୍କ ମୁଣ୍ଡକୁ ପିଟିବା ସହ ହଠାତ୍ ଏକ କୁରାଢ଼ି ସାହାଯ୍ୟରେ କ୍ୟାପଟେନ୍ ଙ୍କୁ ଆକ୍ରମଣ କରିଥିଲା। ଏହି ସଂଘର୍ଷ ସମୟରେ Boeing 737 MAX 8 ବିମାନଟି ମାତ୍ର ଦୁଇ ମିନିଟ୍ ମଧ୍ୟରେ ୩୬,୦୦୦ ଫୁଟ୍‌ରୁ ୧୭,୦୦୦ ଫୁଟ୍‌କୁ ଖସିଆସିଥିଲା, ଯାହାଫଳରେ ବିମାନର ରଡର୍ କ୍ଷତିଗ୍ରସ୍ତ ହୋଇଥିଲା। ବିମାନରେ ୧୭୪ ଜଣ ଯାତ୍ରୀ ଥିଲେ। ଗୁରୁତର ଆହାତ ହୋଇଥିବା ସତ୍ତ୍ୱେ କ୍ୟାପଟେନ୍ ମାଚ୍ଛାର ସାହସର ସହ କକପିଟ୍ ଦ୍ୱାର ଖୋଲିବାକୁ ସକ୍ଷମ ହୋଇଥିଲେ। ଏହାଫଳରେ କ୍ରିୟୁ ସଦସ୍ୟ ଏବଂ ଯାତ୍ରୀମାନେ ଭିତରକୁ ପଶି କୋ-ପାଇଲଟଙ୍କୁ କାବୁ କରିନେଇଥିଲେ। ବିମାନରେ ଯାତ୍ରା କରୁଥିବା ଦୁଇଜଣ ଅଫ୍-ଡ୍ୟୁଟି ପାଇଲଟ୍ ପରବର୍ତ୍ତୀ ସମୟରେ ବିମାନର ନିୟନ୍ତ୍ରଣ ନେଇ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଇଥିଲେ।

ଅଲ୍-ହମ୍ମାମୀ ବର୍ତ୍ତମାନ ୟୁଏଇ ପୋଲିସ ହେପାଜତରେ ଅଛି। ସଂଯୁକ୍ତ ଆରବ ଏମିରେଟ୍ସ ତାଙ୍କୁ କଠୋରରୁ କଠୋର ଶାସ୍ତି ଅର୍ଥାତ୍ ମୃତ୍ୟୁଦଣ୍ଡ ଦେବାକୁ ପ୍ରକ୍ରିୟା ଚଳାଇଥିବା ଜଣାପଡ଼ିଛି। ଅନ୍ୟପଟେ ଭାରତୀୟ ପାଇଲଟ୍ ସ୍ମିତ୍ ମାଚ୍ଛାରଙ୍କ ସାହସିକତାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସାହସକୁ ଭୂୟସୀ ପ୍ରଶଂସା କରିଛନ୍ତି।

ଦୁବାଇର ଏକ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ମାଚ୍ଛାର ବର୍ତ୍ତମାନ ସୁସ୍ଥ ହେଉଛନ୍ତି ଏବଂ ବିପଦମୁକ୍ତ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓ ନେତାନ୍ୟାହୁ ତାଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି।

ସୂଚନାଯୋଗ୍ୟ, ଓମାନୀ ନାଗରିକ କୋ-ପାଇଲଟ୍ ହମାମ୍ ଅଲ୍-ହମ୍ମାମୀ ଅଲ-କାଏଦା ଆତଙ଼କୀ ଗ୍ରୁପ ସହ ଜଡ଼ିତ। ସେ ଜଣେ କଟ୍ଟରପନ୍ଥୀ ଇସଲାମିକ ଥିଲା। ପୂର୍ବରୁ ଓମାନ ତାଙ୍କୁ ବ୍ୟାନର କରିଥିଲା ଘଟଣା ଦିନ ଆକ୍ରମଣ ପୂର୍ବରୁ ସେ ପ୍ରାର୍ଥନା ମଧ୍ୟ କରିଥିଲା।