ହମାମ ଅଲ-ହାମାମୀକୁ ମିଳିବ ମୃତ୍ୟୁ ଦଣ୍ଡ !

ହାମାମୀର ଉଡ଼ାଣରୁ ଆତଙ୍କୀ ଲିଙ୍କ, ଖୋଲୁଛି ପୋଲ୍

ନୂଆଦିଲ୍ଲୀ, ୦୫/୧୦: ଦୁବାଇରୁ ତେଲ୍ ଅଭିଭ୍ ଅଭିମୁଖେ ଯାଉଥିବା ‘ଫ୍ଲାଇଦୁବାଇ’ ବିମାନ FZ1073 ରେ ଘଟିଥିବା ଆକ୍ରମଣ ଘଟଣାରେ ଅଭିଯୁକ୍ତ ପାଇଲଟ୍ ହମାମ ଅଲ-ହାମାମୀ ବିରୋଧରେ ସଂଯୁକ୍ତ ଅରବ ଏମିରେଟ୍ସ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ଇସ୍ରାଏଲୀ ଗଣମାଧ୍ୟମ ‘ୱାଇନେଟ୍’ ର ରିପୋର୍ଟ ଅନୁଯାୟୀ, ୟୁଏଇ ପ୍ରଶାସନ ହାମାମୀ ପାଇଁ ମୃତ୍ୟୁଦଣ୍ଡ ଭଳି କଠୋର ଶାସ୍ତି ଦାବି କରୁଛି। ଏହି ଘଟଣାର ତଦନ୍ତରେ ଇସ୍ରାଏଲର କେତେକ ବରିଷ୍ଠ ଅଧିକାରୀ ମଧ୍ୟ ୟୁଏଇକୁ ସହାୟତା କରୁଛନ୍ତି।

ସେପ୍ଟେମ୍ବର ୩୦ ତାରିଖରେ ୧୭୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଦୁବାଇରୁ ଇସ୍ରାଏଲର ତେଲ୍ ଅଭିଭ୍ ଯାଉଥିବା ବିମାନରେ ୨୯ ବର୍ଷୀୟ ଓମାନୀ ନାଗରିକ ହମାମ ଅଲ-ହାମାମୀ କୋକପିଟ୍‌‌ରେ ଥିବା କୁରାଢ଼ି ସାହାଯ୍ୟରେ ଭାରତୀୟ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ଆକ୍ରମଣ କରିଥିଲେ।

ହାମାନୀ ବିମାନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଥିବା ବେଳେ ଯାତ୍ରୀ, କ୍ୟାବିନ୍ କ୍ରିୟୁ ଏବଂ ଅନ୍ୟ ପାଇଲଟମାନେ ତାକୁ କାବୁ କରିନେଇଥିଲେ। ଏହାପରେ ବିମାନକୁ ସାଉଦି ଆରବରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।

ସାଉଦି ଆରବରେ ହାମାନୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯିବା ପରେ ପରବର୍ତ୍ତୀ ତଦନ୍ତ ପାଇଁ ୟୁଏଇକୁ ଅଣାଯାଇଛି। ୟୁଏଇ ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ଭାବେ ଘୋଷଣା କରିଛି।

ସାଉଦି ଆରବରେ ପଚରାଉଚରା ସମୟରେ ହାମାମୀ ସ୍ୱୀକାର କରିଥିଲା ଯେ ସେ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚାହୁଁଥିଲା ଏବଂ ସେ ମୃତ୍ୟୁକୁ ଭୟ କରେ ନାହିଁ। ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍’ର ରିପୋର୍ଟ ଅନୁଯାୟୀ, ସିରିଆ ଗୃହଯୁଦ୍ଧ ସମୟରେ ସେ ସେଠାରେ କିଛି ସମୟ ବିତାଇଥିଲା, ଯେଉଁଠାରେ ସେ ଉଗ୍ରପନ୍ଥୀ ହୋଇଥିବା ସନ୍ଦେହ କରାଯାଉଛି।

ତାଙ୍କର ଡିଲିଟ୍ ହୋଇଯାଇଥିବା ‘X’ ଆକାଉଣ୍ଟରୁ ୩,୦୦୦ରୁ ଅଧିକ ସ୍କ୍ରିନସଟ୍ ମିଳିଛି। ସେଥିରେ ନାରୀବିରୋଧୀ ପୋଷ୍ଟ୍‌, ମୁହଁ ଘୋଡ଼ାଇ ରଖୁଥିବା ଧାର୍ମିକ ମହିଳାଙ୍କ ପ୍ରତି ପସନ୍ଦ ଏବଂ ଅଲ-କାଏଦାର ପୂର୍ବତନ ମୁଖ୍ୟ ଆୟମାନ ଅଲ-ଜୱାହିରୀ ଓ ଅନ୍ୟ ଉଗ୍ରପନ୍ଥୀଙ୍କ ସହ ଜଡ଼ିତ ସାମଗ୍ରୀ ରହିଥିଲା।

‘ଫ୍ଲାଇଦୁବାଇ’ରେ ଯୋଗଦେବା ପୂର୍ବରୁ ହାମାନୀ ‘ଓମାନ ଏୟାର’ରେ କାର୍ଯ୍ୟରତ ଥିଲା। ସେଠାରେ ସେ କ୍ରମାଗତ ଭାବେ ଚରମପନ୍ଥୀ ୱେବସାଇଟ୍ ବ୍ରାଉଜ୍ କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଉଡ଼ାଣ ଦାୟିତ୍ୱରୁ ବାସନ୍ଦ କରାଯାଇଥିଲା। ଓମାନରେ ତାଙ୍କୁ ଡି-ରାଡିକାଲାଇଜେସନ (ସୁଧାର) ପ୍ରୋଗ୍ରାମରେ ରଖାଯାଇ ଡେସ୍କ ଜବ୍‌ (ଅଫିସ କାମ) ଦିଆଯାଇଥିଲା।

ଏହା ପରେ ୨୦୨୫ରେ ସେ ‘ରୟାଲ ଏୟାର ମାରୋକ୍’ରେ ଚାକିରି ପାଇଁ ଚେଷ୍ଟା କରିଥିଲେ ଏବଂ ଶେଷରେ ଚଳିତ ବର୍ଷ ଫେବୃଆରୀରେ ଫ୍ଲାଇଦୁବାଇରେ ପାଇଲଟ୍ ଭାବେ ଯୋଗଦେଇଥିଲା। ଏତେ ବଡ଼ ରେକର୍ଡ ଥାଇ ମଧ୍ୟ ସେ କିପରି ପୁଣି କକପିଟ୍‌କୁ ଫେରିଲେ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓମାନ ଅଧିକାରୀଙ୍କ ଅନୁଯାୟୀ, ୟୁଏଇ ବା ଫ୍ଲାଇଦୁବାଇ ପକ୍ଷରୁ ହାମାମୀଙ୍କର ବ୍ୟାକଗ୍ରାଉଣ୍ଡ ଚେକ୍ ପାଇଁ କୌଣସି ଅନୁରୋଧ ଆସିନଥିଲା।

ସେ ୟୁଏଇରୁ ଏଭିଏସନ ଶିକ୍ଷା ଗ୍ରହଣ କରିଥିଲା ଏବଂ ଇଂଲଣ୍ଡର ‘ବକିଂହାମସାୟାର ନ୍ୟୁ ୟୁନିଭରସିଟି’ରୁ ଏଭିଏସନ ମ୍ୟାନେଜମେଣ୍ଟରେ ରିମୋଟ-ଲର୍ନିଂ କୋର୍ସ କରିଥିଲା। ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ଘଟଣାରେ ଆନ୍ତର୍ଜାତୀୟ ସ୍ତରରେ ତଦନ୍ତ ଜାରି ରହିଛି।