ପ୍ଲେଗ୍ ଆତଙ୍କ; ରିସର୍ଚ୍ଚରଙ୍କ ମୃତ୍ୟୁ

କ୍ବାରେଣ୍ଟାଇନରେ ୧୯୭ ବ୍ୟକ୍ତି

ମସ୍କୋ, ୦୫/୧୦: ଋଷର ସାଇବେରିଆ ଅଞ୍ଚଳରେ ଜଣେ ଆଣ୍ଟି-ପ୍ଲେଗ୍ ଇନଷ୍ଟିଚ୍ୟୁଟ୍ କର୍ମଚାରୀଙ୍କ ମୃତ୍ୟୁ ପରେ ପ୍ଲେଗ୍ ସଂକ୍ରମଣର ଆଶଙ୍କା ବଢ଼ିଛି। ଇର୍କୁଷ୍ଟକ ଅଞ୍ଚଳର ଶେଲେଖୋଭରେ ଥିବା ଏକ ଆଣ୍ଟି-ପ୍ଲେଗ୍ ଗବେଷଣା ସଂସ୍ଥାନର ୨୮ ବର୍ଷୀୟ କର୍ମଚାରୀ ଦାର୍ୟା ଶିପିଲୋଭାଙ୍କ ମୃତ୍ୟୁ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୯୭ ଜଣଙ୍କୁ ଚିହ୍ନଟ କରାଯାଇ ମେଡିକାଲ୍ ଅବଜରଭେସନରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହସ୍ପିଟାଲରେ ରଖାଯାଇଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ରୋଗର ଲକ୍ଷଣ ଦେଖାଯାଇନଥିବା ଏବଂ ପ୍ରାରମ୍ଭିକ ରିପୋର୍ଟ୍ ନେଗେଟିଭ୍ ଆସିଥିବା ଅଧିକାରୀମାନେ କହିଛନ୍ତି।

ରିପୋର୍ଟ ଅନୁସାରେ, ମୃତ ଲାବୋରେଟୋରୀ କର୍ମଚାରୀ ଅତ୍ୟନ୍ତ ବିପଜ୍ଜନକ ରୋଗଜୀବୀ ଉପରେ ଗବେଷଣା କରୁଥିଲେ। ସେପ୍ଟେମ୍ବର ୨୫ରେ ଲାବରେଟୋରୀରେ କାମ କରୁଥିବା ବେଳେ ପ୍ଲେଗ୍‌ର ଜୀବାଣୁ ଥିବା ଏକ ଟେଷ୍ଟ ଟ୍ୟୁବ୍ ଭାଙ୍ଗିଯାଇଥିବାରୁ ସେ ସଂକ୍ରମିତ ହୋଇଥିଲେ। ମହିଳା ଜଣକ ସେପ୍ଟେମ୍ବର ୨୯ରେ ଗୁରୁତର ନିମୋନିଆରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ପରେ ଶେଲେଖୋଭର ହସ୍ପିଟାଲରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରାଯାଇଥିଲା। ମୃତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ଅଲଗା ରଖାଯାଇଛି। ୧୮୯ ଜଣଙ୍କୁ ହସ୍ପିଟାଲରେ ରଖାଯାଇଛି। ଅନ୍ୟପଟେ ଇର୍କୁଷ୍ଟକ ଅଞ୍ଚଳର ଗଭର୍ଣ୍ଣର ଇଗୋର କୋବଜେଭ୍ କହିଛନ୍ତି, ଚିହ୍ନଟ ହୋଇଥିବା ସମସ୍ତ କଣ୍ଟାକ୍ଟ ବ୍ୟକ୍ତିଙ୍କୁ ମେଡିକାଲ୍ ନଜରରେ ରଖାଯାଇଛି ଏବଂ ଏପର୍ଯ୍ୟନ୍ତ କାହାଠାରେ ରୋଗର ଲକ୍ଷଣ ମିଳିନାହିଁ।

ତେବେ ଏହି ଘଟଣାକୁ ନେଇ ଇର୍କୁଷ୍ଟକ ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପ ବଢ଼ାଯାଇଛି। କିଛି ହସ୍ପିଟାଲରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ହୋଇଛି। ଶେଲେଖୋଭରେ ମାସ୍କ ବ୍ୟବହାର ନେଇ ମଧ୍ୟ କେତେକ ସ୍ଥାନରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।