କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ
ସ୍ମିତ ସୁସ୍ଥ ହେବା ପରେ ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୦୯/୧୦: ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ସାହସିକତା ସମ୍ମାନ ‘ପ୍ରେସିଡେନ୍ସିଆଲ୍ ଆଓ୍ୱାର୍ଡ ଫର୍ ସିଭିଲିଆନ୍ ହେରୋଇଜିମ୍’ ରେ ସମ୍ମାନିତ କରାଯିବ। ଫ୍ଲାଇଦୁବାଇ ବିମାନରେ ଆକ୍ରମଣ ଓ ବିମାନ ଅପହରଣ ଉଦ୍ଯମ ସମୟରେ ଅସାଧାରଣ ସାହସିକତା ପ୍ରଦର୍ଶନ କରି ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବାରୁ ତାଙ୍କୁ ଏହି ବୃହତ୍ ସମ୍ମାନ ପ୍ରଦାନ କରାଯିବ। ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।
ବିମାନ ଉଡ଼ାଣ ସମୟରେ କକପିଟ୍ ଭିତରେ କୋ-ପାଇଲଟଙ୍କ ଆକ୍ରମଣରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଆହତ ଅବସ୍ଥାରେ ମଧ୍ୟ ସେ ଅସୀମ ଧୈର୍ଯ୍ୟ ଓ ସାହସ ଦେଖାଇ କକପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହାଫଳରେ ଯାତ୍ରୀ ଓ ବିମାନ କ୍ରିୟୁ ସଦସ୍ୟମାନେ ଭିତରକୁ ଆସି ଆକ୍ରମଣକାରୀଙ୍କୁ କାବୁ କରିପାରିଥିଲେ।
କ୍ୟାପ୍ଟେନ୍ ସ୍ମିତଙ୍କ ଅଦମ୍ୟ ସାହସ ଯୋଗୁଁ ବିମାନରେ ଥିବା ୧୭୪ ଜଣ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କ ଜୀବନ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଥିଲା। ପରେ ବିମାନକୁ ସାଉଦି ଆରବର ତାବୁକ୍ ଠାରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇଥିଲା।
କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ବର୍ତ୍ତମାନ ଆବୁଧାବିର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସୁଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବା ପରେ ଇସ୍ରାଏଲ ରାଷ୍ଟ୍ରପତି ନିଜେ ତାଙ୍କୁ ଏହି ଗୌରବପୂର୍ଣ୍ଣ ‘ପ୍ରେସିଡେନ୍ସିଆଲ୍ ଆଓ୍ୱାର୍ଡ’ ପ୍ରଦାନ କରିବେ।