‘ଘରେ ରୁହନ୍ତୁ, ସଜାଗ ରୁହନ୍ତୁ’, ଦୂତାବାସର ଜରୁରୀ ଆଡଭାଇଜରୀ

ଅକ୍ଟୋବର ୧୦ ଯାଏଁ ଏୟାର ଇଣ୍ଡିଆ ବିମାନ ସେବା ବାତିଲ

ନୂଆଦିଲ୍ଲୀ, ୦୯/୧୦: ସାଉଦି ଆରବରେ ହୁତି ବିଦ୍ରୋହୀଙ୍କ ବାଲିଷ୍ଟିକ ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ ବୃଦ୍ଧି ପାଇବା ପରେ, ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଏକ ବଡ଼ ସତର୍କତା ସୂଚନା ଜାରି କରାଯାଇଛି।

ସାଉଦି ଆରବରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସଜାଗ ଓ ସତର୍କ ରହିବା ସହ ଆବଶ୍ୟକତା ଅନୁସାରେ ଘର ଭିତରେ ରହିବାକୁ କୁହାଯାଇଛି। ସ୍ଥାନୀୟ ସାଉଦି ପ୍ରଶାସନ ଓ ସରକାରୀ ମାଧ୍ୟମ ଦ୍ୱାରା ଦିଆଯାଉଥିବା ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଚାଲିଥିବା ଘଟଣାବଳୀ ଏବଂ ଆକ୍ରମଣ ସମ୍ପର୍କିତ କୌଣସି ଅଯଥା ଭିଡିଓ କିମ୍ବା ଗୁଜବ ଖବରକୁ ସୋସିଆଲ ମିଡିଆରେ ସେୟାର କିମ୍ବା ରିପୋଷ୍ଟ ନକରିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୟେମେନର ଇରାନ୍ ସମର୍ଥିତ ହୁତି ବିଦ୍ରୋହୀମାନେ ସୌଦି ଆରବର ରିୟାଦସ୍ଥିତ ‘କିଙ୍ଗ ଖାଲିଦ ଆନ୍ତର୍ଜାତୀୟ ବିମାନବନ୍ଦର’ ଏବଂ ଆଭା ବିମାନବନ୍ଦର ଉପରେ ବାଲିଷ୍ଟିକ ମିସାଇଲ୍ ଆକ୍ରମଣ କରିଛନ୍ତି। ଆକ୍ରମଣ ଯୋଗୁଁ ରିୟାଦ ବିମାନବନ୍ଦରରେ ଥିବା ଏକ ବିମାନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା ଏବଂ କିଛି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।

ସାଧାରଣ ନାଗରିକ ଏବଂ ବିମାନବନ୍ଦର ପରି ସମ୍ବେଦନଶୀଳ ସ୍ଥାନ ଉପରେ ଆକ୍ରମଣକୁ ଭାରତ ସରକାର ଦୃଢ଼ ନିନ୍ଦା କରିବା ସହ ‘ସମ୍ପୂର୍ଣ୍ଣ ଅଗ୍ରହଣୀୟ’ ବୋଲି କହିଛନ୍ତି। ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ରିୟାଦକୁ ଯାଉଥିବା ଏବଂ ସେଠାରୁ ଆସୁଥିବା ସମସ୍ତ ବିମାନ ସେବାକୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବାତିଲ କରାଯାଇଛି।

ପ୍ରଭାବିତ ଯାତ୍ରୀମାନଙ୍କୁ ବିନା ଶୁଳ୍କରେ ଟିକେଟ୍‌ର ତାରିଖ ପରିବର୍ତ୍ତନ କିମ୍ବା ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇଁ ବିକଳ୍ପ ଦିଆଯାଇଛି। ତେବେ ରିୟାଦସ୍ଥିତ ଭାରତୀୟ ଦୂତାବାସ ଏବଂ ଜେଦ୍ଦାସ୍ଥିତ କନସୁଲେଟ୍ ପୂର୍ବପରି ସାଧାରଣ ଭାବେ କାର୍ଯ୍ୟ କରୁଛି। ଭାରତୀୟ ନାଗରିକଙ୍କୁ କୌଣସି ଜରୁରୀ ସହାୟତା ପାଇଁ ଦୂତାବାସର ସରକାରୀ ୱେବସାଇଟ୍ ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ନଜର ରଖିବାକୁ କୁହାଯାଇଛି।