ନୂଆଦିଲ୍ଲୀ, ୧୦/୧୦: ଦିଲ୍ଲୀର ଜନ୍ତରମନ୍ତରରେ ନିର୍ବାଚନ କମିଶନଙ୍କ ବିରୋଧରେ ଆନ୍ଦୋଳନ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୈତିକ ଉତ୍ତେଜନା ବଢ଼ିଛି। ଜନ୍ତରମନ୍ତରରେ ହେବାକୁ ଥିବା ପ୍ରତିବାଦରେ ସାମିଲ ହେବାକୁ ଯାଉଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କୁ ପୋଲିସ ଅଟକ ରଖିଛି। ଏହା ସହ ବିଭିନ୍ନ ବିରୋଧୀ ଦଳର ନେତା, କର୍ମୀ ଓ ଅନ୍ୟ ପ୍ରତିବାଦକାରୀଙ୍କୁ ମଧ୍ୟ ଅଟକ ରଖାଯାଇଛି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରକ୍ରିୟାରେ ଭୋଟରଙ୍କ ନାଁ ବାଦ୍ ପଡ଼ିବା ଏବଂ ତାଲିକା ସଂଶୋଧନରେ ସ୍ୱଚ୍ଛତା ନଥିବା ନେଇ ବିରୋଧୀ ନେତାମାନେ ଅଭିଯୋଗ କରୁଛନ୍ତି। ସେମାନେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି।
ମମତା ବାନାର୍ଜୀ ଦିଲ୍ଲୀର ସାଉଥ୍ ଆଭେନ୍ୟୁ ଅଞ୍ଚଳରୁ ଜନ୍ତରମନ୍ତର ଅଭିମୁଖେ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ତାଙ୍କ ସହ ତୃଣମୂଳ କଂଗ୍ରେସର ଅନ୍ୟ ନେତା ଏବଂ ସାଂସଦ ଡେରେକ୍ ଓ’ବ୍ରାଏନ୍ ଓ ଡୋଲା ସେନ୍ଙ୍କୁ ମଧ୍ୟ ଅଟକ ରଖାଯାଇଛି।
ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ଆନ୍ଦୋଳନରେ ଯୋଗଦେବାକୁ ଯାଉଥିଲେ। ସେ ନିଜ ବାସଭବନରୁ ବାହାରି ଜନ୍ତରମନ୍ତର ଅଭିମୁଖେ ଯିବା ସମୟରେ ପୋଲିସ ତାଙ୍କୁ ଅଟକ ରଖିଥିଲା। ତାଙ୍କ ବାସଭବନ ନିକଟରେ ସକାଳୁ ପୋଲିସ ମୁତୟନ ହୋଇଥିଲା।
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ୍)ର ବରିଷ୍ଠ ନେତା ପିନରାୟି ବିଜୟନଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଅଟକ ରଖିଛି। ସେ କେରଳ ହାଉସ୍ ନିକଟରୁ ଅଟକ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।
କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଜନ୍ତରମନ୍ତରରେ ଏହି ପ୍ରତିବାଦ ଆୟୋଜନ କରାଯାଇଥିଲା। ଆନ୍ଦୋଳନରେ ଯୋଗଦେବା ପାଇଁ ଦିଲ୍ଲୀରେ ବିଭିନ୍ନ ରାଜନୈତିକ ଦଳର ନେତା ଏକାଠି ହେଉଥିବା ବେଳେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା। ସକାଳଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨,୦୦୦ ଲୋକଙ୍କୁ ଅଟକ ରଖାଗଲାଣି।
ଦିଲ୍ଲୀରେ ୨୦ ହଜାରରୁ ଅଧିକ ପୁଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ଯବାନ ମୁତୟନ ହୋଇଛନ୍ତି। ଏହାସହ ଅପରାଧିକ ପୃଷ୍ଠଭୂମି ଥିବା ୬୦୦ରୁ ଅଧିକ ଲୋକଙ୍କୁ ହେପାଜତକୁ ନିଆଯାଇଛି। ଆନ୍ଦୋଳନ ପାଇଁ ପୁଲିସ ପକ୍ଷରୁ ଅନୁମତି ଦିଆଯାଇ ନଥିବାରୁ ବହୁ ସଂଖ୍ୟାରେ ଲୋକ ଏକାଠି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।