ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଗିରଫ

ମଧ୍ୟରାତ୍ରରେ ନେହା ବୋରାଙ୍କୁ ଛାଡ଼ିଲା ପୋଲିସ

ନୂଆଦିଲ୍ଲୀ, ୧୭/୧୦: ଦିଲ୍ଲୀରେ ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ଏବଂ ଛାତ୍ର ସଂଗଠନ ଏଆଇଏସ୍‌ଏ ପକ୍ଷରୁ ପ୍ରତିବାଦ ଓ ‘ଲେହରା ଦୋ ତ୍ରିରଙ୍ଗା’ ରାଲି ବେଳେ ଅଟକ ରଖାଯାଇଥିବା ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ପୋଲିସ ଆଜି ଆନୁଷ୍ଠାନିକ ଭାବେ ଗିରଫ କରିଛି। ଅଟକ ରଖାଯାଇଥିବା ଏଆଇଏଏସଏ ସଭାପତି ନେହା ବୋରାଙ୍କୁ ମଧ୍ୟରାତ୍ରିରେ ଛାଡ଼ିଦିଆଯାଇଛି।

କନ୍‌ନଟ୍ ପ୍ଲେସ୍ ଏବଂ ଜନ୍ତରମନ୍ତର ଆଖପାଖରେ ଅନୁଷ୍ଠିତ ହେବାକୁ ଥିବା ବିକ୍ଷୋଭ ଓ ଶାନ୍ତି ପ୍ରତିଶ୍ରୁତି ଉଲ୍ଲଂଘନ ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୋଲିସ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ପୂର୍ବରୁ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି।

ସେହିପରି’ଲେହରା ଦୋ ତ୍ରିରଙ୍ଗା’ ପ୍ରତିବାଦରେ ଯୋଗଦେବାକୁ ଯାଉଥିବା ସମୟରେ ଏଆଇଏସଏ ଜାତୀୟ ସଭାପତି ନେହା ବୋରାଙ୍କୁ ଦିଲ୍ଲୀ ପୋଲିସ ଉଠାଇ ନେଇଥିଲା। ଆର.କେ. ପୁରମ ଥାନା ଅଞ୍ଚଳରେ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖାଯିବା ପରେ ମଧ୍ୟରାତ୍ରିରେ ପୋଲିସ ତାଙ୍କୁ ଖଲାସ କରିଥିବା ଜଣାପଡ଼ିଛି।

ରାଜଧାନୀରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ଦୃଷ୍ଟିରୁ ଦିଲ୍ଲୀ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। କନ୍‌ନଟ୍ ପ୍ଲେସର ସେଣ୍ଟ୍ରାଲ୍ ପାର୍କ୍ ଏବଂ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବ୍ୟାରିକେଡ୍ କରାଯିବା ସହ ରାପିଡ୍ ଆକ୍ସନ ଫୋର୍ସ ଏବଂ ଦଙ୍ଗାନିରୋଧୀ ଯାନ ମୁତୟନ କରାଯାଇଥିଲା।

ଅନ୍ୟପକ୍ଷରେ, ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନ ଓ ବିରୋଧୀ ନେତାମାନେ।