କୋଟା, ୧୭/୧୦: ରାଜସ୍ଥାନର କୋଟା ଜିଲ୍ଲା ଅନ୍ତର୍ଗତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ମଧ୍ୟପ୍ରଦେଶର ଭୋପାଳରୁ ରାଜସ୍ଥାନର ପ୍ରସିଦ୍ଧ ଖଟୁ ଶ୍ୟାମଜୀ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଏକ୍ସପ୍ରେସୱେ କଡ଼କୁ ଓଲଟି ପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ମଧ୍ୟ ରହିଛନ୍ତି।
ଶନିବାର ସକାଳ ପ୍ରାୟ ୬ଟା ସମୟରେ କୋଟା ଜିଲ୍ଲାର କରାଡ଼ିଆ ନିକଟସ୍ଥ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଛି। ବସ୍ଟିରେ ପ୍ରାୟ ୨୩ ଜଣ ଯାତ୍ରୀ (ଗୋଟିଏ ପରିବାରର ସଦସ୍ୟ) ଥିଲେ। ସେମାନେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ଭୋପାଳରୁ ବାହାରି ଖାଟୁ ଶ୍ୟାମ ମନ୍ଦିର ଅଭିମୁଖେ ଯାଉଥିଲେ।ଗାଡ଼ି ଚାଳକ ଭାରସାମ୍ୟ ହରାଇବାରୁ ବସ୍ଟି ରାସ୍ତା କଡ଼ରେ ଥିବା ପ୍ରାୟ ୧୫ ଫୁଟ୍ ଗଭୀର ଏକ ଖାଲ ବା ଡ୍ରେନ୍ ମଧ୍ୟକୁ ଖସି ପଡ଼ିଥିଲା।
ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୮ ଜଣରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୋଟା ସ୍ଥିତ ଏମବିଏସ୍ ହସ୍ପିଟାଲ୍ ଏବଂ ନ୍ୟୁ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ କୋଟା ଜିଲ୍ଲାପାଳ ପୀୟୂଷ ସମରିୟା ଏବଂ ସ୍ଥାନୀୟ ବରିଷ୍ଠ ପୋଲିସ ଅଧିକାରୀମାନେ ତୁରନ୍ତ ହସ୍ପିଟାଲ୍ରେ ପହଞ୍ଚି ଆହତମାନଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି। ତେବେ ଘଟଣାସ୍ଥଳରେ ଡ୍ରେନ୍ ଭିତରେ କାଦୁଅ ଏବଂ ପାଣି ଜମି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ କିଛିଟା ବାଧା ସୃଷ୍ଟି ହୋଇଥିଲା। ପରେ କ୍ରେନ୍ ସହାୟତାରେ କ୍ଷତିଗ୍ରସ୍ତ ଗାଡ଼ିକୁ ଉଠାଯାଇ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା। ତଦନ୍ତ ଜାରି ରହିଛି।