ଭାରତକୁ ଆଶ୍ୱସ୍ତି: ରୁଷଠାରୁ ତେଲ କିଣୁଥିବା ଦେଶ ଉପରେ ଶୁଳ୍କ ସ୍ଥଗିତ
ଆବଶ୍ୟକ ପଡ଼ିଲେ ପୁଣି କଟକଣା ଲଗାଇପାରେ ଆମେରିକା
ୱାଶିଂଟନ, ୧୭/୧୦: ଭାରତ ଏବଂ ଅନ୍ୟାନ୍ୟ ପ୍ରମୁଖ ଦେଶଗୁଡ଼ିକୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ ଓ ଗ୍ୟାସ ଆମଦାନୀ କରୁଥିବା ଦେଶଗୁଡ଼ିକ ଉପରେ ଆସିବାକୁ ଥିବା କଟକଣା ଏବଂ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବ୍ୟବସ୍ଥାକୁ କୋହଳ କରିଛନ୍ତି। ଆସନ୍ତାକାଲି ଏହି କଟକଣା ଏବଂ ଶୁଳ୍କ କାର୍ଯ୍ୟକାରୀ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଗତ ସେପ୍ଟେମ୍ବର ୧୮ ତାରିଖରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଲିଣ୍ଡସେ ଓ. ଗ୍ରାହାମ ସାଙ୍କସନିଂ ରୁଷିଆ ଆଣ୍ଡ ଇରାନ ଆକ୍ଟ-୨୦୨୬’କୁ ଅନୁମୋଦନ କରିଥିଲେ। ଏହି ନୂତନ ଆଇନ ଅନୁଯାୟୀ, ଯେଉଁ ସବୁ ଦେଶ ରୁଷିଆଠାରୁ କ୍ରୁଡ୍ ଅଏଲ୍ ବା ଅଶୋଧିତ ତେଲ ଏବଂ ପ୍ରାକୃତିକ ଗ୍ୟାସ କିଣିବା ଜାରି ରଖିବେ, ସେମାନଙ୍କ ଉପରେ ଶହେ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲଗାଯିବାର ବ୍ୟବସ୍ଥା ରହିଥିଲା।
ଏହି କାରଣରୁ ଭାରତ ଏବଂ ଚୀନ୍ ଭଳି ବଡ଼ ଦେଶଗୁଡ଼ିକ ଉପରେ ପ୍ରତିବନ୍ଧକର ଏକ ପ୍ରକାର ଖଣ୍ଡା ଝୁଲୁଥିଲା। ଆଇନ ପାସ ହେବାର ୩୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରାଯାଇଥାନ୍ତା।
ହ୍ୱାଇଟ ହାଉସ ପକ୍ଷରୁ ଜାରି କରାଯାଇଥିବା କାର୍ଯ୍ୟନିର୍ବାହୀ ଆଦେଶ ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି କଟକଣା ଏବଂ ଶୁଳ୍କକୁ କୋହଳ କରିଛନ୍ତି। ଏହି ନିର୍ଦ୍ଦେଶନାମାରେ କୌଣସି ନିର୍ଦ୍ଦିଷ୍ଟ ଦେଶ ଭାବେ ଭାରତ କିମ୍ବା ଚୀନ୍ର ନାମ ନିଆଯାଇ ନାହିଁ, ବରଂ ରୁଷିଆରୁ ତେଲ କିଣୁଥିବା ଦେଶ ଉପରୁ କଟକଣା ହଟାଇବା ନେଇ ଉଲ୍ଲେଖ କରାଯାଇଛି।
ଅନ୍ୟପଟେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଆଗାମୀ ଭାରତ ଗସ୍ତ ଏବଂ ବାଣିଜ୍ୟିକ ଆଲୋଚନା ପୂର୍ବରୁ ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ଯଦିଓ ଏହି ଆଦେଶ ଦ୍ୱାରା ବର୍ତ୍ତମାନ ପାଇଁ ୧୦୦% ଟାରିଫ୍ରୁ ମୁକ୍ତି ମିଳିଛି, ତଥାପି ଆମେରିକା ପ୍ରଶାସନ ରୁଷିଆର ଶକ୍ତି କାରବାର ଉପରେ କଡ଼ା ନଜର ରଖିଛି ଏବଂ ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ପୁଣି କଟକଣା ଲଗାଇପାରେ।