ନୂଆଦିଲ୍ଲୀ, ୧୭/୧୦: ବରିଷ୍ଠ ବିଜେପି ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ। ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ୯୮ ବର୍ଷୀୟ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍ରେ ଆଡଭାନୀଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ଛାତିରେ ସଂକ୍ରମଣ ହେବା ପରେ ତାଙ୍କୁ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ପଡ଼ିଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ସହ ବିଭିନ୍ନ ଡାକ୍ତରୀ ପରୀକ୍ଷା କରାଯାଉଛି।
ଚଳିତ ବର୍ଷ ମେ’ ମାସରେ ମଧ୍ୟ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଆଡଭାନୀଙ୍କୁ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନର ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ଏହା ପୂର୍ବରୁ ୨୦୨୪ ମସିହାରେ ମଧ୍ୟ ତାଙ୍କୁ ଅନେକ ଥର ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା।
ଲାଲକୃଷ୍ଣ ଆଡଭାନୀ ଭାରତୀୟ ଜନତା ପାର୍ଟିର ପ୍ରମୁଖ ନେତାଙ୍କ ମଧ୍ୟରୁ ଜଣେ। ଆଡଭାନୀ ତିନିଥର ବିଜେପିର ଜାତୀୟ ସଭାପତି ହୋଇଥିଲେ। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଗୃହମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ପରେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ଉପପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୨୪ ମସିହାରେ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।