ହାତୀ ମୃତ୍ୟୁ ଘଟଣାରେ ୬ ଗିରଫ, ୨ ରେଞ୍ଜର ନିଲମ୍ବିତ

ଆଠଗଡ(ଦର୍ଶନ): ହାତୀ ମୃତ୍ୟୁ ଘଟଣାରେ ୬ ଜଣକୁ ଗିରଫ କରିଛି ପୋଲିସ , ଏହି ମାମଲାରେ ୨ ରେଞ୍ଜରଙ୍କ ସମେତ ୩ ନିଲମ୍ବିତ ହୋଇଛନ୍ତି । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ବଡମ୍ବା ରେଞ୍ଜ ଅଞ୍ଚଳରେ ହାତୀଙ୍କୁ ମାରି ପୋତିବା ଘଟଣାରେ ୨ ରେଞ୍ଜରଙ୍କ ସମେତ ୩ ନିଲମ୍ବିତ ଓ ଅନ୍ୟ ୬ ଜଣ ଗିରଫ ହୋଇଛନ୍ତି। କାର‌୍ୟ୍ୟରେ ଅବହେଳା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଗିରଫ ମାନଙ୍କୁ ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ବିଚାର ବିଭାଗୀୟ ବିଚାରପତିଙ୍କ ପାଖରେ ହାଜର କରାଗଲା ପରେ ସମସ୍ତଙ୍କୁ ବଡମ୍ବା ଜେଲ୍‌କୁ ପଠାଇ ଦିଆଯାଇଛି। ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ୪ମାସ ମଧ୍ୟରେ ୩ଟି ହାତୀ ପୋତାଥିବା ଅବସ୍ଥାରେ କ୍ରାଇମବ୍ରାଞ୍ଚ ଟିମ ଉଦ୍ଧାର କରିଛି । ହାତୀ ଦାନ୍ତ ପାଇଁ ହାତୀଙ୍କ ଶିକାର ହେଉଥିବା ଅଭିଯୋଗ ହେଉଛି । ଏହାପୂର୍ବରୁ ଫେବୃଆରୀ ମାସରେ ମଧ୍ୟ ଏକ ହାତୀର ମୃତଦେହ ପୋତା ଅବସ୍ଥାରେ ମିଲିଥିଲା।