ଫ୍ରାନ୍ସରେ ଆନ୍ଦୋଳନ ଓ କର୍ଫ୍ୟୁ: ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି
ଆବଶ୍ୟକ ପଡ଼ିଲେ ଜରୁରୀକାଳୀନ ନମ୍ବରରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୨/୧୦: ଫ୍ରାନ୍ସରେ ଚାଲିଥିବା ଆନ୍ଦୋଳନ, ହିଂସାତ୍ମକ କାଣ୍ଡ ଓ ବିଭିନ୍ନ ଅଞ୍ଚଳରେ ଲାଗୁ ହୋଇଥିବା ସ୍ଥାନୀୟ କର୍ଫ୍ୟୁକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଏବଂ ଯିବା ପାଇଁ ଯୋଜନା ରଖୁଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କତା ଜାରି କରିଛି ଭାରତୀୟ ଦୂତାବାସ। ଅକ୍ଟୋବର ୨୧ରେ ଜାରି ଏହି ପରାମର୍ଶରେ ନାଗରିକମାନଙ୍କୁ ସତର୍କ ରହିବା, ଆନ୍ଦୋଳନ ଚାଲିଥିବା ସ୍ଥାନଠାରୁ ଦୂରେଇ ରହିବା ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ କୁହାଯାଇଛି। ଏଥିସହ ଅଧିକ ସଂଖ୍ୟାରେ ଲୋକ ଏକାଠି ହେଉଥିବା ସ୍ଥାନକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଫ୍ରାନ୍ସରେ ସାଧାରଣ ଜୀବନଯାପନ ଖର୍ଚ୍ଚ ବୃଦ୍ଧି, ଇନ୍ଧନ ଦର ବୃଦ୍ଧି, ସ୍କୁଲଗୁଡ଼ିକରେ ଖରାପ ଭିତ୍ତିଭୂମି ଓ ଶିକ୍ଷକଙ୍କ ଅଭାବକୁ ନେଇ ଆରମ୍ଭ ହୋଇଥିବା ପ୍ରତିବାଦ ପରବର୍ତ୍ତୀ ସମୟରେ ବ୍ୟାପକ ଆନ୍ଦୋଳନର ରୂପ ନେଇଛି। ସରକାରୀ ଖର୍ଚ୍ଚ କାଟ୍ ଓ ସାଧାରଣ ସେବାର ଅବନତିକୁ ନେଇ ମଧ୍ୟ ଅସନ୍ତୋଷ ବଢ଼ିଛି। ଅକ୍ଟୋବର ୧୭ରେ ହୋଇଥିବା ଆନ୍ଦୋଳନ ସମୟରେ କେତେକ ସ୍ଥାନରେ ହିଂସା, ଭଙ୍ଗାରୁଜା ଓ ଲୁଟ୍ପାଟ୍ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ କିଛି ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି।
ଆନ୍ଦୋଳନ ଓ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ପ୍ୟାରିସ୍ର ପ୍ଲାସ୍ ଦେ ଲା ରିପବ୍ଲିକ୍ ଏବଂ ଲେ ଆଲ୍ସ୍ ଅଞ୍ଚଳରେ ରାତି ସମୟରେ କର୍ଫ୍ୟୁ ଲାଗୁ କରାଯାଇଛି। ଅନ୍ୟ କେତେକ ସହରରେ ମଧ୍ୟ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ପ୍ରତିବନ୍ଧକ ଜାରି ହୋଇଛି। ଅକ୍ଟୋବର ୨୪ରେ ପୁଣି ଆନ୍ଦୋଳନ ହେବାର ସମ୍ଭାବନା ଥିବାରୁ ଫ୍ରାନ୍ସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରୁଛି। ଏଭଳି ପରିସ୍ଥିତିରେ ଯାତାୟାତ, ସାଧାରଣ ପରିବହନ ଓ ଦୈନନ୍ଦିନ କାର୍ଯ୍ୟକଳାପ ପ୍ରଭାବିତ ହେବା ଆଶଙ୍କା ରହିଛି।
ଏପରି ସମୟରେ ଭାରତୀୟ ଦୂତାବାସ ପକ୍ଷରୁ ନାଗରିକଙ୍କୁ ନିମ୍ନଲିଖିତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
ଜାରି ହୋଇଥିବା ପରାମର୍ଶରେ ଦର୍ଶାଯାଇଛି ଯେ:-
– ଯେଉଁ ସ୍ଥାନରେ ଆନ୍ଦୋଳନ କିମ୍ବା ପ୍ରତିବାଦ ଚାଲିଛି, ସେଠାକୁ ଯିବାରୁ ଦୂରେଇ ରୁହନ୍ତୁ।
– ଅଧିକ ସଂଖ୍ୟାରେ ଲୋକ ଏକାଠି ହେଉଥିବା ସ୍ଥାନ ଓ ଭିଡ଼ ଅଞ୍ଚଳକୁ ଯାଆନ୍ତୁ ନାହିଁ।
– ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଜାରି ସମସ୍ତ ନିର୍ଦ୍ଦେଶ ଓ ପରାମର୍ଶ ପାଳନ କରନ୍ତୁ।
– ସ୍ଥାନୀୟ ଖବର ଓ ଫ୍ରାନ୍ସ ସରକାରଙ୍କ ଅଧିକାରିକ ସୂଚନା ଉପରେ ନଜର ରଖନ୍ତୁ।
– ଯାତ୍ରା କରିବା ପୂର୍ବରୁ ସାଧାରଣ ପରିବହନ ସେବାର ସ୍ଥିତି ଯାଞ୍ଚ କରନ୍ତୁ।
– ବିମାନ କିମ୍ବା ଅନ୍ୟ ଯାତ୍ରାରେ ପରିବର୍ତ୍ତନ ହେଲେ ନିଜ ବିମାନ କମ୍ପାନୀ କିମ୍ବା ଟ୍ରାଭେଲ୍ ଏଜେନ୍ସି ସହ ଯୋଗାଯୋଗ କରନ୍ତୁ।
ଫ୍ରାନ୍ସରେ ରହୁଥିବା କୌଣସି ଭାରତୀୟ ନାଗରିକ ଜରୁରୀ ସହାୟତା ଆବଶ୍ୟକ କରୁଥିଲେ, ପ୍ୟାରିସ୍ସ୍ଥିତ ଭାରତୀୟ ଦୂତାବାସର ଜରୁରୀକାଳୀନ ନମ୍ବର +33 6 48 34 00 63 ରେ ଯୋଗାଯୋଗ କରିପାରିବେ।