ରାୟଗଡ଼ା: ପିଲାଙ୍କ କଳିରୁ ଆରମ୍ଭ ହୋଇଥିବା ବଚସା ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଛି। ଜେକେପୁର ନୂଆସାହି ଓ ଦେବଦଳା ଗ୍ରାମବାସୀ ମୁହାଁମୁହିଁ ହେବା ପରେ ପରିସ୍ଥିତି ଅଣାୟତ୍ତ ହୋଇଛି। ଆକ୍ରମଣରେ ଉଭୟ ଗ୍ରାମର ୭ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ନ୍ୟାୟ ଦାବିରେ ଦେବଦଳାବାସୀ ୩୨୬ ନଂ ଜାତୀୟ ରାଜପଥ ଅବରୋଧ ସହ ଚାନ୍ଦିଲି ଥାନା ଘେରାଉ କରିଛନ୍ତି।
ଅତିରିକ୍ତ ଏସପି ରାମପ୍ରସାଦ ସାହୁ ଜେକେପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨ ଡିଏସପି, ୨ ଥାନା ଅଧିକାରୀଙ୍କ ସମେତ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସାମାନ୍ୟ ବଚସା ତଥା ଛୋଟ ପିଲାଙ୍କ ଝଗଡାକୁ କେନ୍ଦ୍ର କରି ରବିବାର ରାତିରେ ଦେବଦଳା ଓ ଚାନ୍ଦିଲିର କିଛି ଯୁବକ ନୂଆପଡ଼ାକୁ ଯାଇ ଘଟଣା ସଂପର୍କରେ ପଚାରି ବୁଝିଥିଲେ।