ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୪୫ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
କେନ୍ଦ୍ରାପଡ଼ା, ୧୧/୧୧: ଥାନା ପରିସରରେ ମା’ ଓ ପୁଅଙ୍କୁ ମାଡ଼ ମାରିବା ଏବଂ ଘଟଣାର ସିସିଟିଭି ଫୁଟେଜ୍ ନଷ୍ଟ କରିବା ଅଭିଯୋଗରେ ଫସିଛନ୍ତି ତାଳଚୁଆ ମେରାଇନ୍ ଥାନାର ପୂର୍ବତନ IIC ସନ୍ଧ୍ୟାରାଣୀ ଜେନା। ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ବିନୟତୋଷ ମିଶ୍ର। ଆସନ୍ତା ୪୫ ଦିନ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ଅଭିଯୋଗ ଅନୁସାରେ, ଗତ ମେ’ ୨୫ ତାରିଖରେ ତାଳଚୁଆ ମେରାଇନ୍ ଥାନା ପରିସରରେ ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ଅନନ୍ତଙ୍କୁ ମାଡ଼ ମରାଯାଇଥିଲା। ଏହି ଘଟଣାରେ ତତ୍କାଳୀନ ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠିଥିଲା।
ସୂଚନା ଅନୁସାରେ, ଏକ ପାରିବାରିକ ବିବାଦକୁ ନେଇ ଅନ୍ନପୂର୍ଣ୍ଣାଙ୍କ ସ୍ୱାମୀ ମନୋରଞ୍ଜନ ମଣ୍ଡଳ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ମେ’ ୨୫ ତାରିଖରେ ମା’ ଅନ୍ନପୂର୍ଣ୍ଣା ଓ ତାଙ୍କ ପୁଅ ଅନନ୍ତଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯାଇଥିଲା। ହେଲେ ସେଠାରେ ସେମାନଙ୍କୁ ମାଡ଼ ମରାଯିବା ସହ ଅସଦାଚରଣ କରାଯାଇଥିବା ଉଭୟ ଅଭିଯୋଗ କରିଥିଲେ। ଏପରିକି ସେମାନଙ୍କୁ ଥାନାର ଶୌଚାଳୟ ଭିତରେ ଦୀର୍ଘ ସମୟ ଅଟକ ରଖାଯାଇଥିବା ଏବଂ ଖାଲି କାଗଜରେ ଦସ୍ତଖତ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ଏହି ଘଟଣା ପରେ ମା’ ଓ ପୁଅଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଅନନ୍ତଙ୍କ ଡାକ୍ତରୀ ପରୀକ୍ଷାରେ ଶରୀରରେ ଆଘାତ ଚିହ୍ନ ମିଳିଥିଲା। ଏହାପରେ ଘଟଣାକୁ ନେଇ ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ହସ୍ତକ୍ଷେପ କରିଥିଲା।
ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ କୁମାର ପାତ୍ରଙ୍କ ତଦନ୍ତ ରିପୋର୍ଟ ଅନୁସାରେ, ଥାନାର ସିସିଟିଭି ହାର୍ଡଡିସ୍କକୁ ଫର୍ମାଟ୍ କରାଯାଇ ଫୁଟେଜ୍ ଡିଲିଟ୍ କରାଯାଇଥିଲା। ସିସିଟିଭି ଟେକ୍ନିସିଆନ୍ଙ୍କ କହିବାନୁସାରେ, ସିସିଟିଭି ସିଷ୍ଟମ୍ ଠିକ୍ ଭାବେ କାମ କରୁଥିଲା। ଫୁଟେଜ୍ ଡିଲିଟ୍ ହେବାର କିଛି ସମୟ ପୂର୍ବରୁ ସନ୍ଧ୍ୟାରାଣୀ ଜେନାଙ୍କ ଅନୁରୋଧରେ ସିସିଟିଭି ଓ ଆଡମିନିଷ୍ଟ୍ରେଟର ପାସୱାର୍ଡ ତାଙ୍କୁ ଦିଆଯାଇଥିଲା।
ତେଣୁ ଫୁଟେଜ୍ ଆପେ ଡିଲିଟ୍ ହୋଇନଥିବା ଏବଂ ଜାଣିଶୁଣି ଏହାକୁ ନଷ୍ଟ କରାଯାଇଥିବା ତଦନ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା। ହାର୍ଡଡିସ୍କ ଫର୍ମାଟ୍ କରି ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରାଣୀ ଜେନାଙ୍କୁ ଏ ନେଇ ସ୍ପଷ୍ଟୀକରଣ ମଗାଯାଇଥିଲା। ହେଲେ ତାଙ୍କ ଉତ୍ତର ସନ୍ତୋଷଜନକ ନଥିଲା। ଏହି ଘଟଣାରେ ତାଙ୍କୁ ନିଲମ୍ବିତ କରାଯାଇଛି।
ତାଙ୍କ ବିରୋଧରେ ଏହି ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଅତିରିକ୍ତ ଏସ୍ପି ସୁଧାକର ସାହୁଙ୍କୁ ତଦନ୍ତ ଅଧିକାରୀ ଏବଂ ଡିଏସପି ଗୋପୀନାଥ ପ୍ରଧାନଙ୍କୁ ମାର୍ଶାଲିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଉଭୟଙ୍କୁ ତଦନ୍ତ ଶୀଘ୍ର ଶେଷ କରି ୪୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।