ସପ୍ତାହକ ମଧ୍ୟରେ ଦୁଇଥର ଦଳାଚକଟା ପରେ ଆକ୍ସନ ମୁଡ଼ରେ ଜଗନ

ନେଲୋର: ଟିଡିପି (ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ସପ୍ତାହକମଧ୍ୟରେ ଦୁଇ ଥର ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ପରେ ଏବେ ଆକ୍ସନ ମୁଡ଼କୁ ଆସିଯାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ | ଜନ ନିରାପତ୍ତାକୁ ଦର୍ଶାଇ ଆନ୍ଧ୍ରପ୍ରଦେଶ ସରକାର ଜାତୀୟ ରାଜପଥ ସମେତ ରାସ୍ତାରେ ସାଧାରଣ ସଭା ତଥା ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନେଲୋରରେ ଏକ ରାଜନୈତିକ ଦଳ ବୈଠକରେ ୮ ଜଣଙ୍କ ମୃତ୍ୟୁ ଘଟଣାକୁ ଆଧାର କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ଏହି ନିଷେଧାଦେଶ ଅର୍ଡର ପୁଲିସ୍ ଆକ୍ଟ, ୧୮୬୧ ଅନୁଯାୟୀ, ଜାନୁଆରୀ ୧ ବିଳମ୍ବିତ ରାତିରୁ କାର୍ଯ୍ୟକାରୀ କରିଛନ୍ତି। ମୁଖ୍ୟ ଶାସନ ସଚିବ (ଗୃହ) ହରିଶ କୁମାର ଗୁପ୍ତା ଏକ ସରକାରୀ ଆଦେଶରେ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ପୁଲିସକୁ କହିଛନ୍ତି ଯେ “ସର୍ବସାଧାରଣ ସଡ଼କଠାରୁ ଦୂରରେ ଥିବା ଖାଲି ସ୍ଥାନ ଚିହ୍ନଟ କର, ଯେଉଁଠାରେ ରାଜନୈତିକ ଦଳର ସମାବେଶ ହୋଇପାରିବ | ଯାହାଦ୍ୱାରା ଲୋକଙ୍କ ଯାତାୟାତ, ଜରୁରୀକାଳୀନ ସେବା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବାଧା ସୃଷ୍ଟି ହେବ ନାହିଁ |