କର୍କଟ ପରେ ଏବେ ରାକ୍ଷୀଙ୍କ ମା’ଙ୍କର ହେଲା ବ୍ରେନ ଟ୍ୟୁମର

ଅଭିନେତ୍ରୀ ରାକ୍ଷୀ ସାୱନ୍ତ କଲର୍ସ ମରାଠୀରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ବିଗ୍ ବସ୍ ମରାଠୀରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଘରୁ ବାହାରିଛନ୍ତି। ସେ ଘରକୁ ଫେରିବା ମାତ୍ରେ ତାଙ୍କୁ ଏକ ଖରାପ ଖବର ମିଳିଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ତାଙ୍କ ପ୍ରଶଂସକଙ୍କ ସହ ଏହି ଖବର ସେୟାର କରିଛନ୍ତି। ରାକ୍ଷୀ କହିଛନ୍ତି ଯେ, କର୍କଟ ପରେ ତାଙ୍କ ମା’ ଜୟା ଭେଡାଙ୍କର ଏବେ ବ୍ରେନ ଟ୍ୟୁମର ହୋଇଛି। ତାଙ୍କୁ ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାକ୍ଷୀ ଡାକ୍ତରଖାନାରୁ କାନ୍ଦୁଥିବାର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ତାଙ୍କ ମା’ଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଭିଡିଓରେ ରାକ୍ଷୀ ସାୱନ୍ତ କହିଛନ୍ତି ଯେ, ମୁଁ ରବିବାର ରାତିରେ ରିୟାଲିଟି ସୋ’ ବିଗ୍ ବସ୍ ମରାଠୀରୁ ବାହାରିଥିଲି। ସେଠାରୁ ଆସିବା ମାତ୍ରେ ମୁଁ ଜାଣିଲି ଯେ, ମା’ଙ୍କ ଦେହ ଭଲ ନାହିଁ। ସେ ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି। ମା’ ପୂର୍ବରୁ କର୍କଟ ରୋଗରେ ପୀଡ଼ିତ ଥିଲେ ଏବଂ ବର୍ତ୍ତମାନ ତାଙ୍କୁ ବ୍ରେନ ଟ୍ୟୁମର ହୋଇଛି। ଆପଣ ଦୟାକରି ମୋ ମା’ଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ମୋ ମା’ ପ୍ରାର୍ଥନା ଆବଶ୍ୟକ କରନ୍ତି।