ପୁଣି ଚର୍ଚ୍ଚାରେ ଏୟାର ଇଣ୍ଡିଆ : ବିମାନ ଭିତରେ ପରିସ୍ରା ଏବଂ ଧୂମପାନ କଲେ ଯାତ୍ରୀ, ନୋଟିସ ଜାରି କଲା ଡିଜିସିଏ

ବିମାନଗୁଡ଼ିକରେ ଯାତ୍ରୀମାନଙ୍କ ଆପତ୍ତିଜନକ କାର୍ଯ୍ୟକଳାପ କମିବାର ନାଁ ଧରୁ ନାହିଁ । ଦିନକୁ ଦିନ ନୂଆ ନୂଆ ଘଟଣା ସାମନାକୁ ଆସିବା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆକୁ ନୋଟିସ ଜାରି କରିଛି ।

ଡିଜିସିଏକୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ନଭେମ୍ବର ୬ ରେ ପ୍ୟାରିସ-ନୂଆଦିଲ୍ଲୀ ବିମାନରେ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣର ଦୁଇଟି ଘଟଣା ଘଟିଥିଲା । ପ୍ରଥମ ଘଟଣାରେ ଜଣେ ଯାତ୍ରୀ ଶୌଚାଳୟରେ ଧୂମପାନ କରୁଥିବା ଧରାପଡିଥିଲେ। ସେ ମଦ୍ୟପାନ କରିଥିଲେ ଏବଂ ବିମାନ କର୍ମଚାରୀଙ୍କ କଥା ଶୁଣୁ ନଥିଲେ। ଅନ୍ୟ ଏକ ଘଟଣାରେ, ଅନ୍ୟ ଜଣେ ଯାତ୍ରୀ  ନିଜ ପାଖରେ ବସିଥିବା ମହିଳା ଯାତ୍ରୀଙ୍କ ସିଟରେ ଥିବା କମ୍ବଳରେ ପରିସ୍ରା କରିଦେଇଥିଲେ, ଯେତେବେଳେ ସଂପୃକ୍ତ ମହିଳା ଶୌଚାଳୟ ଯାଇଥିଲେ ।  କିନ୍ତୁ ଏସବୁ ଘଟଣା ସଂପର୍କରେ ରିପୋର୍ଟ କରିବାରେ ବିଫଳ ହୋଇଥିଲା ଏୟାରଇଣ୍ଡିଆ ବୋଲି ନିୟାମକ କହିଛନ୍ତି  ।