ଏୟାର୍‌ ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଜାମିନ ଆବେଦନ ଖାରଜ

ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣାକୁ ନେଇ ଏବେ ୧୪ଦିନିଆ ନ୍ୟାୟିକ ହେପାଜତରେ ଅଛନ୍ତି ଶଙ୍କର ମିଶ୍ରା। ନ୍ୟାୟିକ ହେପାଜତକୁ ଯିବା ପରେ ଜାମିନ ପାଇଁ ଶଙ୍କର ଆବେଦନ କରିଥିବା ବେଳେ ଏହାକୁ ଖାରଜ କରିଛନ୍ତି କୋର୍ଟ। ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋମଲ ଗର୍ଗ, ଶଙ୍କର ମିଶ୍ରାଙ୍କ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଏହି ପର୍ଯ୍ୟାୟରେ ତାଙ୍କୁ ଜାମିନରେ ଛାଡିବା ଠିକ୍ ନୁହେଁ।

ଜାନୁଆରି ୪ରେ ବିମାନରେ ଶଙ୍କର ମିଶ୍ରା ପୀଡ଼ିତାଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ କରିଥିଲେ ବୃଦ୍ଧା। ଅଭିଯୋଗ ରଖି ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିବା ବେଳକୁ ଧରାପଡ଼ିବା ଡରରେ ଶଙ୍କର ନିଜର ଫୋନ ସୁଇଚ୍ ଅଫ କରିଦେଇଥିଲେ। ଫେରାର ହୋଇଯାଇଥିବା ଶଙ୍କରଙ୍କୁ ଠାବ କରିବା ନିମନ୍ତେ ‘ଲୁକ୍‌ ଆଉଟ୍‌ ନୋଟିସ୍‌’ ବା ‘ଏୟାର୍‌ପୋର୍ଟ ଆଲର୍ଟ’ ଜାରି କରାଯାଇଥିଲା।

ଶଙ୍କରଙ୍କ ଅବସ୍ଥିତି ବିଷୟରେ ସୁନିଶ୍ଚିତ ସୂଚନା ପାଇବା ପରେ ତାଙ୍କୁ ଧରିବା ଲାଗି ଦିଲ୍ଲୀ ପୁଲିସ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଟିମ୍‌ ମୁତୟନ କରିଥିଲା। ଶଙ୍କର ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ ସୁଦ୍ଧା, ସାଙ୍ଗସାଥୀମାନଙ୍କ ସହିତ ଯୋଗାଯୋଗ ରଖିବା ଲାଗି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ସବୁ ଚଳାଉ ଥିଲେ। ତାହାକୁ ଆଧାର କରି ଶଙ୍କରଙ୍କ ଅବସ୍ଥିତି ଜଣାପଡ଼ିଥିଲା।