ଭୁବନେଶ୍ବରରେ ରାଷ୍ଟ୍ରପତି

ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ବିଏମସି ମେୟର ସୁଲୋଚନା ଦାସ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ବିମାନବନ୍ଦରରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଆଗମନ ଉପଲକ୍ଷେ ବିମାନବନ୍ଦରର ସମ୍ମୁଖ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ପ୍ରକମ୍ପିତ ହୋଇଛି।

ବିମାନବନ୍ଦରରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ଲାଗି ବାହାରିଛନ୍ତି।  କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ ଓ ଜ୍ଞାନପ୍ରଭା ମିଶନର ସଭାପତି ଜ୍ୟୋତିର୍ମୟୀ ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଜ୍ଞାନପ୍ରଭା ମିଶନର ଏହି କାର୍ଯ୍ୟକ୍ରମରେ ଶ୍ରୀ ଗୁରୁଜୀ ପରମହଂସ ପ୍ରଜ୍ଞାନନ୍ଦଜି ଅଭିଭାଷଣ ରଖିବେ।