ବନ୍ଦ ଘରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବନ୍ଦ ଘରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ପୁଲିସରେ ଏକ ମାମଲା ଦାୟର କରିଛନ୍ତି। ମୃତ ବୃଦ୍ଧାଙ୍କର ନାମ ଅନ୍ନପୂର୍ଣ୍ଣା ଗୈାଡ (୭୨) ଏବଂ ବୈପାରିଗୁଡା ସଦର ବୀରଖମ୍ବ ସାହିରେ ରହୁଥିଲେ। ମୃତା ଅନ୍ନପୂର୍ଣ୍ଣାଙ୍କ ଝିଅ ରୁନୁ ଗୌଡ଼ ଆଜି ଥାନାରେ ପହଞ୍ଚି ମା’ଙ୍କର ମୃତ୍ୟୁ ହୋଇଯାଇଥିବା ଦେଖି ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସହ ବହୁ ମୂଲ୍ୟବାନ ସମ୍ପତ୍ତି ଚୋରି କରି ନେଇଥିବା ଏତଲା ଦେଇଛନ୍ତି।

ବୈପାରିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରୁନୁଙ୍କ ଏତଲା ଅନୁଯାୟୀ, ସେ ସେମିଳିଗୁଡାରେ ରୁହନ୍ତି। ଆଜି ମଧ୍ୟାହ୍ନ ୧.୪୦ ମିନିଟ୍ ସମୟରେ ବୈପାରିଗୁଡ଼ା ଆସି ମା’ଙ୍କ ଘର ସାମ୍ନାରେ ଠିଆ ହୋଇ ବାରମ୍ୱାର ଡାକିଥିଲେ ମଧ୍ୟ କୌଣସି ଉତ୍ତର ପାଇଲେ ନାହିଁ। ଗେଟ୍‌ର ଭିତର ପଟୁ ତାଲା ପଡ଼ିଥିବାରୁ ତାଲା ଭାଙ୍ଗି ଭିତରକୁ ଯାଇଥିଲେ।

ବାହାର ଦରଜା ବନ୍ଦ ଥିବାରୁ ଘରର ବାରିପଟକୁ ଯାଇ ଘର ଭିତରକୁ ପଶି ଦେଖନ୍ତି ତ ମା’ ଖଟ ଉପରେ ଶୋଇଛନ୍ତି। ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସୁନା, ରୂପା, ଗହଣା, ବ୍ୟାଙ୍କ ପାସବୁକ,ପୋଷ୍ଟାଲ ଫିକ୍ସଡ୍ ଡିପୋଜିଟ ପେପର, ଘରକରଣା ଜିନିଷ ନାହିଁ। ତେବେ ମା’ଙ୍କୁ ହତ୍ୟା କରି ଦୁର୍ବୃତ୍ତ ମାନେ ସବୁ ନେଇଯାଇଥିବା ପୁଲିସରେ ଜଣାଇଛନ୍ତି।