ତୁର୍କୀରେ ଜଣେ ଭାରତୀୟଙ୍କ ମୃତଦେହ ଉଦ୍ଧାର

ଭୂକମ୍ପ ବିଧ୍ବସ୍ତ ତୁର୍କୀରେ ନିଖୋଜ ଥିବା ଜଣେ ଭାରତୀୟଙ୍କ ମୃତଦେହ ଉଦ୍ଧାର ହୋଇଛି । ତୁର୍କୀର ମାଲାଟ୍ୟାଠାରେ ଥିବା ଏକ ହୋଟେଲର ଧ୍ବଂସସ୍ତୁପ ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଅଙ୍କାରାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ବ୍ୟକ୍ତିଙ୍କ ନାମ ବିଜୟ କୁମାର ବୋଲି ଜଣାପଡ଼ିଛି । ସେ ବେଙ୍ଗାଲୁରୁସ୍ଥିତ ଏକ କମ୍ପାନିରେ କାମ କରୁଥିଲେ ଓ କମ୍ପାନି କାମରେ ତୁର୍କୀ ଯାଇଥିଲେ ।

ତାଙ୍କ ମୃତ ଦେହକୁ ପ୍ରଥମେ ଚିହ୍ନଟ କରିହେଉନଥିଲା । କିନ୍ତୁ ପରିବାରଲୋକେ ତାଙ୍କ ହାତରେ ଥିବା ଏକ ଟାଟୁରୁ ତାଙ୍କୁ ଚିହ୍ନଟ କରିଥିଲେ । ତାଙ୍କ ମୃତଦେହକୁ ଭାରତ ଫେରାଇ ଆଣିବାକୁ ସବୁପ୍ରକାରର ବନ୍ଦୋବସ୍ତ କରାଯାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ଗତ ବୁଧବାରଦିନ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ ତୁର୍କୀରେ ଜଣେ ଭାରତୀୟ ନିଖୋଜ ଅଛନ୍ତି ଓ ଆଉ ୧୦ ଜଣ ଫସି ରହିଛନ୍ତି । ତେବେ ନିଖୋଜ ଲୋକମାନେ ସୁରକ୍ଷିତ ଅଛନ୍ତି ବୋଲି ଦୂତାବାସ ପକ୍ଷରୁ କୁହାଯାଇଥିଲା ।