ଡାକ୍ତରଖାନାରେ ଭର୍ତ୍ତି ହେଲେ ତୃଣମୂଳ ନେତା ବାବୁଲ ସୁପ୍ରିଓ

ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିଓଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ସାମ୍ନାକୁ ଆସିଛି । ରବିବାର ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଉଡଲାଣ୍ଡ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଭର୍ତି କରାଯାଇଥିଲା । ହସ୍ପିଟାଲ ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ, ବାବୁଲ ସୁପ୍ରିଓଙ୍କ ଇସିଜିରେ ସାମାନ୍ୟ ପରିବର୍ତ୍ତନ ଦେଖା ଦେଇଥିବାବେଳେ ଇକୋକାର୍ଡିଓଗ୍ରାଫି ଠିକ ରହିଛି।

ବାବୁଲ ସୁପ୍ରିଓଙ୍କ ଆଞ୍ଜିଓଗ୍ରାଫି ମଧ୍ୟ କରାଯାଇଥିଲା, ଯେଉଁଥିରେ ତାଙ୍କର ସାମାନ୍ୟ କରୋନାରୀ ଧମନୀ ରୋଗ ଥିବାର ଜଣାପଡିଛି । ଡାକ୍ତରମାନେ କହିଛନ୍ତି ଯେ ଏହାପାଇଁ ଅପରେସନ୍ କରିବାର କୌଣସି ଆବଶ୍ୟକତା ନାହିଁ, ସେ ଔଷଧ ଦ୍ୱାରା ଠିକ ହୋଇଯିବେ। ଆଉ କିଛି ଟେଷ୍ଟ ପରେ ତାଙ୍କୁ ଆଜି ହିଁ ଡିସଚାର୍ଜ କରିଦିଆଯିବ।

ବାବୁଲ ସୁପ୍ରିଓ ୯୦ ଦଶକର ଜଣେ ଜଣାଶୁଣା ଗାୟକ ଭାବରେ ଖୁବ ପରିଚିତ । ପରେ ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଗତ ବର୍ଷ ସେ ବିଜେପି ସଦସ୍ୟତାରୁ ଇସ୍ତଫା ଦେଇ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଛନ୍ତି। ସଂଗୀତ ଦୁନିଆରେ ସେ ଅନେକ ହିଟ ଗୀତ ଗାଇଛନ୍ତି । ଏକ ସମୟରେ ତାଙ୍କୁ କୁମାର ସାନୁଙ୍କ ସହିତ ମଧ୍ୟ ତୁଳନା କରାଯାଉଥିଲା ।