୨ ଲକ୍ଷ କୋଟିର ବଜେଟ୍

ବିଧାନସଭାରେ ଉପସ୍ଥାପନ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ବାରା ଚଳିତ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଛି। ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ଟଙ୍କା। ବଜେଟ୍ ରୁପରେଖରେ ସବୁ କ୍ଷେତ୍ରରେ ସମାନତା ଅଣାଯାଇଛି। ଶିକ୍ଷା , ସ୍ୱାସ୍ଥ୍ୟ କୃଷି ପର୍ଯ୍ୟଟନ ସବୁ କ୍ଷେତ୍ରକୁ ମିଳିଛି ଗୁରୁତ୍ୱ। ତେବେ ସର୍ବାଧିକ ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ମିଳିଛି ୧୨ ହଜାର ୬୨୪ କୋଟି ଟଙ୍କା। ଏହା ପୂର୍ବବର୍ଷ ତୁଳନାରେ ୩୮ ପ୍ରତିଶତ ଅଧିକ ।

ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହାଦ୍ବାରା ୯୬ ଲକ୍ଷରୁ ଅଧିକ ଗରିବ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି।  ସେହପରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିସନ ଅଧୀନରେ ୨ ହଜାର ୩୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।  ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି ଟଙ୍କା ଖର୍ଚ୍ଚ ହେବାକୁ ପ୍ରସ୍ତାବ ରଖାଯାଇଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁସଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୬୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିପରି ଶିକ୍ଷା ଓ ଦକ୍ଷତା ବିକାଶ ଲାଗି 27 ହଜାର 324 କୋଟି ଟଙ୍କାର ବ୍ୟୟ ବରାଦ । ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିକରଣ ହେବ । ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି ବ୍ୟୟବରାଦ କରାଯାଇଛି । ସେହିଭଳି ପିଲାଙ୍କ ବ୍ୟାଗ୍, ୟୁନିଫର୍ମ ପାଇଁ ୧୯୩ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଧାର୍ମିକ ପୀଠର ବିକାଶ ପାଇଁ ୧୯୫୦ କୋଟି ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ସେପଟେ ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।ବ୍ଲକ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କ୍ରୀଡା ପ୍ରକଳ୍ପ କରିବା ପାଇଁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ଯ ବେଶ ଗୁରୁତ୍ବ ମିଳିଛି। ରାଜ୍ୟରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡିକର ବିକାଶ ପାଇଁ 1 ହଜାର 950 କୋଟି ଟଙ୍କାର ବ୍ୟୟ ବରାଦ । ବସୁଧା ଯୋଜନାରେ 1850 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ବିଜୁ ପକ୍କା ଘର ପାଇଁ 5 ହଜାର 906 କୋଟି ଟଙ୍କାର, ମିଶନ ଶକ୍ତି ବିଭାଗ ପାଇଁ 2 ହଜାର କୋଟି ଟଙ୍କା, ଶକ୍ତି କ୍ଷେତ୍ର 3 ହଜାର 482 କୋଟି ଟଙ୍କା ଏବଂ ଗୃହ ବିଭାଗ ପାଇଁ 7 ହଜାର 551 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ଏଥର ବଜେଟ୍ ଲୋକଙ୍କ ବଜେଟ୍ ବୋଲି ବିଜେଡ଼ି କହିଛି ସେପଟେ ବଜେଟକୁ ନେଇ ଅସନ୍ତୋଷ ଝାଡିଛନ୍ତି ବିରୋଧୀ। ବଜେଟ ରେ କିଛି ନାହିଁ। ଲୋକଙ୍କୁ କିଛି ସୁବିଧା ମିଳିବନି। କେବଳ ରାଜ୍ଯ ସରକାର ଲୋକଙ୍କୁ ଭୁଆଁ ଭୁଲାଉଛନ୍ତି ବୋଲି ବିରୋଧି କହିଛନ୍ତି