ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ବ

ଭୁବନେଶ୍ୱର: ବିକାଶର ଅପରିହାର୍ଯ୍ୟ ଅଙ୍ଗ କୃଷି । ରାଜ୍ୟର ବିକାଶ ପଛରେ କୃଷି ବଡ଼ ଭୂମିକା ଗ୍ରହଣ କରିଥାଏ। ସବୁବେଳେ ଓଡ଼ିଶା ସରକାର କୃଷି ଏବଂ କୃଷକ ଙ୍କୁ ଅଗ୍ରାଧିକାର ଦେଇଥାନ୍ତି। ଏଥର ବଜେଟ୍ ରେ ମଧ୍ଯ କୃଷି କ୍ଷେତ୍ରକୁ ମିଳିଛି ଗୁରୁତ୍ବ।ବିଗତ କିଛି ବର୍ଷ ପରି ଏଥର ମଧ୍ୟ ରାଜ୍ୟ ବଜେଟର ପ୍ରଥମ ଭାଗ କୃଷି ବଜେଟ୍ ଭାବେ ଘୋଷଣା ହୋଇଥିଲା। ବଜେଟର ଆକାର ୨ ଲକ୍ଷ କୋଟି ଟଙ୍କା ଥିବାବେଳେ କୃଷି କ୍ଷେତ୍ର ପାଇଁ ୨୧ ହଜାର ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଚାଷୀଙ୍କ ପାଇଁ ସରକାରଙ୍କ ଐତିହାସିକ ଯୋଜନା କାଳିଆ ଯୋଜନା ପାଇଁ ୧ ହଜାର ୫୭୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୩୮ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ଏହି ସହାୟତା ମିଳୁଛି । ଏମିତିକି କାଳିଆ ଯୋଜନାରେ ଚାଷୀ ମାନଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ଋଣ ବ୍ୟବସ୍ଥା ଏବଂ ୫୦ ହଜାର ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨ ପ୍ରତିଶତ ସୁଧରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ବ୍ୟୟ ବରାଦ ହୋଇଛି ୮୯୩ କୋଟି। ଉଦ୍ୟାନ କୃଷି ପାଇଁ ୩୧୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

୨୦୨୨-୨୩ ଆର୍ଥିକ ବର୍ଷ ରେ ଅତିରିକ୍ତ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳ ସେଚନ ଯୋଗାଇ ଦିଆଯିବାକୁ ବଜେଟରେ ଘୋଷଣା କରାଯାଇଛି । ୩୦ ଟି ଇନଷ୍ଟ୍ରିମ ଷ୍ଟୋରେଜ୍ ହାତକୁ ନିଆ ଯାଇଥିବା ବେଳେ ସେଥିରୁ ୧୬ଟି ପାଇଁ ୧ ହଜାର ୪୪  କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ ଚାଲିଥିବା ପ୍ରକଳ୍ପ ପାଇଁ ୨ ହଜାର ୪୯୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟରେ ୧୨ ହଜାର ୫୦୦ ଗଭୀର ନଳକୂପ ଖନନ ହେବ । ପାର୍ବତୀ ଗିରି ଉଠା ଜଳ ସେଚନ ଯୋଜନାରେ ଆସନ୍ତା ୫ ବର୍ଷ ରେ ୧୦ ହଜାର ୭୫୯ କୋଟି ଟଙ୍କା ଖର୍ଚ୍ଚ ହେବ । ଭାଗ ଚାଷୀଙ୍କ ପାଇଁ ହୋଇଥିବା ବଳରାମ ଯୋଜନାରେ ୧ ଲକ୍ଷ ଜଏଣ୍ଟ ଲିଆବିଲିଟି ଗ୍ରୁପ ହୋଇଛି । ସେଥିରେ ୫ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଚାଷୀମାନେ କେମିତି ଆଗକୁ ବଢିବେ, କୃଷି କ୍ଷେତ୍ରରେ କେମିତି ଓଡ଼ିଶା ଆଗକୁ ବାଢ଼ିବ ସେଥିପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।