ବୁଧବାରଠାରୁ ଦିଲ୍ଲୀରେ ଜି-୨୦ ବୈଦେଶିକ ମନ୍ତ୍ରୀ ସମ୍ମିଳନୀ, ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ସମ୍ଭାବନା

ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ୍ ଓ ପାଶ୍ଚାତ୍ୟ ଦେଶ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ ଆସନ୍ତା ମାର୍ଚ୍ଚ ୧ ଓ ୨ ତାରିଖରେ ଜି-୨୦ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ନୂଆଦିଲ୍ଲୀରେ ବୈଠକ କରିବେ । ଏହି ବୈଠକରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ, ରୁଷ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ, ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ କ୍ୟାଥରିନ କୋଲୋନା, ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ, ଜର୍ମାନୀର ଆନାଲିନା ବିୟରବକ୍ ଏବଂ ବ୍ରିଟେନର ବୈଦେଶିକ ସଚିବ ଜେମ୍ସ କ୍ଲାଭର୍ଲି ପ୍ରମୁଖ ଯୋଗଦେବେ ।

ସେପ୍ଟେମ୍ବର ମାସରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଜି-୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଏହି ବୈଠକ ହେଉଛି ସବୁଠାରୁ ବଡ଼ ବୈଠକ। ଭାରତର ନିମନ୍ତ୍ରଣକ୍ରମେ ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଅନେକ ଅଣ-ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀ ମଧ୍ୟ ଏହି ବୈଠକରେ ଅତିଥି ଭାବେ ଯୋଗଦେବେ ।