ଡାକ୍ତରଖାନାରୁ ମା’ କୋଳରୁ ଛୁଆକୁ ଟାଣିନେଲା କୁକୁର, ଚାଲିଗଲା ଜୀବନ

ଶୋଇଥିବା ବେଳେ ମା’ କୋଳରୁ ଛୁଆକୁ ନେଇଗଲା କୁକୁର। ଡାକ୍ତରଖାନାରେ ଉଭୟ ମା’ ଓ ଶିଶୁ ଶୋଇଥିବା ବେଳେ କୁକୁର ଭିତରକୁ ଯାଇ ଶିଶୁକୁ ଟାଣି ଆଣିଥିଲା ବୋଲି ଜଣାପଡ଼ିଛି। କୋଳରେ ଶିଶୁନଥିବା ଦେଖି ଯେତେବେଳେ ସମସ୍ତେ ଶିଶୁକୁ ଖୋଜିବା ଆରମ୍ଭ କରିଥିଲେ, ସେତେବେଳେ ଶିଶୁର ମୃତଦେହ ଡାକ୍ତରଖାନା ବାହାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଭଳି ଅବହେଳା ପାଇଁ ଦାୟୀ କିଏ, ତା’ର ତଦନ୍ତ ଏବେ ପୁଲିସ ଆରମ୍ଭ କରିଥିବା ଜଣାପଡ଼ିଛି।

ସିସିଟିଭି ଫୁଟେଜ ଯାଞ୍ଚ ପରେ ଜଣାପଡ଼ିଛି ଯେ ସୋମବାର ବିଳମ୍ବିତ ରାତିରେ ଡାକ୍ତରଖାନାର ଯକ୍ଷ୍ମା ୱାର୍ଡ ଭିତରକୁ ଦୁଇଟି କୁକୁର ପ୍ରବେଶ କରିଥିଲେ। ଗୋଟିଏ କୁକୁର ପିଲାଟିକୁ ପାଟିରେ କାମୁଡି ଧରି ବାହାରକୁ ଚାଲିଯାଇଥିଲା। ଶିଶୁର ବାପାଙ୍କୁ ଯକ୍ଷ୍ମା ରୋଗ ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିପାଇଁ ଶିଶୁର ମା’ ତାଙ୍କୁ ନେଇ ଡାକ୍ତରଖାନାରେ ରହୁଥିଲେ। ହେଲେ ସ୍ବାମୀଙ୍କ ଚିକିତ୍ସା ପାଇଁ ଶିଶୁର ଜୀବନ ଚାଲିଯିବ ବୋଲି ସେ କେବେ ବି ଭାବିନଥିଲେ। ଶିଶୁଟି ମାତ୍ର ମାସକର ଥିଲା ବୋଲି ଜଣାପଡ଼ିଛି।