ଭାରତ ଓ ଅଷ୍ଟ୍ରେଲିଆର ଶିକ୍ଷା, ଗବେଷଣା ଓ ଦକ୍ଷତା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସ୍ୱାକ୍ଷରିତ ହେଲା ୧୧ ଏମଓୟୁ: ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେରଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀ ଠାରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦେଶ ମଧ୍ୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ଶିକ୍ଷାନୁଷ୍ଠାନରେ ସହଯୋଗୀ ହେବା ନେଇ ୧୧ଟି ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଭାରତର କୃଷି କ୍ଷେତ୍ରରେ ଲୋକଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଆଗାମୀ ଦେଢ ବର୍ଷରେ ଅଷ୍ଟ୍ରେଲିଆ ସରକାର ୧.୮୯ ମିଲିୟନ ଡଲାର ଖର୍ଚ୍ଚ କରିବେ। ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ସହ ଭାରତର ଶିକ୍ଷାନୁଷ୍ଠାନ ମିଳିତ ଭାବେ ନୂଆ ପାଠ୍ୟକ୍ରମ ତିଆରି କରିବା, ପ୍ରଶିକ୍ଷକ ସୃଷ୍ଟି କରିବା ସହ ସେମାନଙ୍କ କ୍ଷମତା ବୃଦ୍ଧି କରିବା ଉପରେ ଯୋଜନା ପ୍ରସ୍ତୁତ ହେବ । ଅଷ୍ଟ୍ରେଲିଆ ଏବଂ ଭାରତରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଯୋଗ୍ୟତାକୁ ମାନ୍ୟତା ଦେବା ସହ ଆଇଇଆଇଏଫ କ୍ରିଟିକାଲ ସ୍କିଲ ପ୍ରୋଜେକ୍ଟର ଘୋଷଣା କରାଯାଇଛି । ଆଜିର ଦ୍ୱିପାକ୍ଷିକ ବୈଠକ ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।