ଶ୍ରଦ୍ଧାଙ୍କ ହତ୍ୟାକାରୀ ଅଫତାବ ପୁନାୱାଲା ଥିଲା ଜଣେ ପ୍ରଶିକ୍ଷିତ ସେଫ୍‌; ମାଂସକୁ କିପରି ସଂରକ୍ଷିତ କରାଯାଏ ଜଣାଥିଲା ତାକୁ

ଶ୍ରଦ୍ଧା ଓ୍ଵାକର ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା ଜଣେ ପ୍ରଶିକ୍ଷିତ ସେଫ୍‌ ଏବଂ ମାଂସକୁ କିପରି ସଂରକ୍ଷିତ କରି ରଖାଯାଏ ତାହା ସେ ଜାଣେ ବୋଲି ଦିଲ୍ଲୀ ପୁଲିସ ଆଜି ଅଦାଲତକୁ ଜଣାଇଛି। ଉଲ୍ଲେଖଯୋଗ୍ୟ, ଆଜି (ମଙ୍ଗଳବାର) ଦିଲ୍ଲୀର ସାକେତ କୋର୍ଟରେ ଅଭିଯୁକ୍ତ ପୁନାୱାଲା ବିରୋଧରେ ଶୁଣାଣି ଆରମ୍ଭ ହୋଇଛି।

ଆଫତାବ ତାଜ ହୋଟେଲରେ ତାଲିମପ୍ରାପ୍ତ ସେଫ୍‌ ଏବଂ ମାଂସକୁ କିପରି ସଂରକ୍ଷିତ କରି ରଖାଯାଏ, ତାହା ସେ ଭଲଭାବେ ଜାଣନ୍ତି ବୋଲି ପୁଲିସ କହିଛି। ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଶୁଖିଲା ବରଫ, ଅଗରବତୀ ଇତ୍ୟାଦି ମଗାଇଥିଲା। ଏହି ଅପରାଧ ପରେ ସେ ଅନ୍ୟ ଜଣେ ଯୁବତୀଙ୍କ ସହ ଏକ ନୂଆ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ତାଙ୍କ ନୂଆ ପ୍ରେମିକାଙ୍କୁ ମୁଦି ମଧ୍ୟ ଦେଇଥିଲେ ବୋଲି ପୁଲିସ ସାକେତ କୋର୍ଟକୁ କହିଛି।
କୋର୍ଟରେ ଦିଲ୍ଲୀ ପୁଲିସର ପ୍ରତିନିଧିତ୍ୱ କରୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଅମିତ ପ୍ରସାଦ କହିଛନ୍ତି ଯେ ଦିଲ୍ଲୀ ପୁଲିସ କୋର୍ଟରେ ଅପରାଧର ସମ୍ପୂର୍ଣ୍ଣ କ୍ରମ ବିଷୟରେ କହିଛି। ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା ତାଙ୍କ ଓକିଲ ଏମଏସ ଖାନଙ୍କୁ ବଦଳାଇ ଦେଇଛନ୍ତି ଏବଂ ତେଣୁ ସମସ୍ତ ଦସ୍ତାବିଜ ତାଙ୍କ ନୂତନ ଲିଗାଲ ଏଡ୍‌ କାଉନସେଲ (ଏଲଏସି)କୁ ହସ୍ତାନ୍ତର କରାଯାଇଛି।