ଜେଲରୁ ଆସିବା ପରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ନେବେ ସିସୋଦିଆ ଓ ସତ୍ୟେନ୍ଦ୍ର: ଆତିଶୀ

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶୀ ମାର୍ଲେନାଙ୍କୁ କେଜ୍ରିୱାଲ ସରକାରରେ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ଗୁରୁବାର ଅପରାହ୍ନ ୪ଟାରେ ଉଭୟ ରାଜ ଭବନରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉଭୟଙ୍କୁ ଉପରାଜ୍ୟପାଳ ଭିକେ ସକ୍ସେନା ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।

ତେବେ ଶପଥ ଗ୍ରହଣ ପରେ ଜେଲରେ ଥିବା ଆପର ଦୁଇ ପୂର୍ବତନ ମନ୍ତ୍ରୀଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆତିଶୀ। ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଏବେ ଜେଲରେ ଅଛନ୍ତି। ଏହା ଉପରେ ନିଜର ପ୍ରତିକ୍ରିୟା ରଖି ଆତିଶୀ କହିଛନ୍ତି, ଜେଲରୁ ବାହାରିବା ପରେ ପୁଣି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ନେବେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ୍। ସ୍ବାଧୀନତା ପରଠାରୁ ସ୍ୱାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀ ଭାବରେ ସତ୍ୟେନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆ ଐତିହାସିକ କାମ ସବୁ କରିଛନ୍ତି। ଭଗବାନ ରାମ ଯେପରି ବନବାସରେ ଯାଇଥିଲେ ଏବଂ ତାଙ୍କ ଭାଇ ଭରତ ରାଜ୍ୟକୁ ସମ୍ଭାଳିଥିଲେ, ଆମେ ସେପରି କାର୍ଯ୍ୟ କରିବୁ। ଯେତେବେଳେ ସେମାନେ ଜେଲରୁ ମୁକୁଳିବେ, ସେମାନେ ପୁଣି ସେମାନଙ୍କର ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିବେ।”