୨୦ ମହଲାରୁ ଖସି ଓୟୋରୁମ୍ସ ପ୍ରତିଷ୍ଠାତା ରିତେଶଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ

କିଛି ଦିନ ତଳେ ବିବାହ କରିଥିବା ‘ଓୟୋରୁମ୍ସ’ର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ଜୀବନରେ ଦୁଃଖର କଳାବାଦଲ ଘୋଟିଯାଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପୁଲିସ ଏକ ବୟାନ ଜାରି କରିବାର ସମ୍ଭାବନା ରହିଛି । ଏହି ଆପାର୍ଟମେଣ୍ଟରେ ରମେଶ ଅଗ୍ରଓ୍ବାଲ ନିଜ ପତ୍ନୀ (ରିତେଶଙ୍କ ମା’)ଙ୍କ ସହ ରହୁଥିଲେ । ତେବେ ରିତେଶ ଏହି ଆପାର୍ଟମେଣ୍ଟରେ ରହନ୍ତି ନାହିଁ ।

ନିଜର ପିତାଙ୍କ ମୃତ୍ୟୁ ସଂପର୍କରେ ରିତେଶ ଏକ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପିତା, ଯିଏକି ତାଙ୍କ ପ୍ରଥପ୍ରଦର୍ଶକ ଥିଲେ, ମାର୍ଚ୍ଚ ୧୦ ତାରିଖରେ ମୃତ୍ୟୁବରଣ କରିଛନ୍ତି । ସେ ଏକ ସଂପୂର୍ଣ୍ଣ ଜୀବନ ଜିଇଥିଲେ ଓ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲେ । ତାଙ୍କର ମୃତ୍ୟୁ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖର ଘଡ଼ିରେ ସମସ୍ତେ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ସେ କହିଛନ୍ତି ।