ଆଦିବାସୀ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ

ମଧ୍ୟ ପ୍ରଦେଶର ଗୁଣାରେ ଏକ ଲୋମଟାଙ୍କୁରା ଘଟଣା ସାମନାକୁ ଆସିଛି । ଏଠାରେ କିଛି ଦୁର୍ବୃତ୍ତ ଜଣେ ଆଦାବାସୀ ମହିଳାଙ୍କ ଉପରେ ଡିଜେଲ ପକାଇ ଜିଅନ୍ତା ଜାଳି ଦେଇଛନ୍ତି । ନିଆଁରେ ମହିଳାଙ୍କ ପ୍ରାୟ ୮୦ ପ୍ରତିଶତ ଜଳି ଯାଇଛି । କୁହାଯାଉଛି ନିଆଁରେ ଜଳି ମହିଳା ଜଣଙ୍କ ଛଟପଟ ଚିତ୍କାର କରୁଥିବା ବେଳେ ଏହି ନାରକୀୟ କାଣ୍ଡ ଘଟାଇଥିବା ଦୁର୍ବୃତ୍ତମାନେ ସେଠାରେ ଛିଡା ହୋଇ ଭିଡିଓ କରୁଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଏହି ଭୟଙ୍କର ଅପରାଧ ଶନିବାର ମଧ୍ୟାହ୍ନରେ ଗୁଣା ଜିଲ୍ଲାର ବମୋରୀର ଧନୋରିୟା ଗାଁରେ ଘଟିଥିଲା। ମହିଳାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।  ଅନ୍ୟପଟେ ଏହି ମାମଲା ସାମନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଆକ୍ସନକୁ ଆସିଥିଲା । ଖୋଜ ଜିଲ୍ଲାପାଳ ଏବଂ ଏସପି ଗାଁରେ ପହଞ୍ଚିଥିଲେ । ପୋଲିସ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରୁଛି । ଅନ୍ୟପଟେ ପୀଡିତ ମହିଳାଙ୍କୁ ଭୋପାଳ ରେଫର କରାଯାଇଛି ।