ଏକାଠି ଦେଖାଗଲେ ଉଦ୍ଧବ ଠାକରେ-ଦେବେନ୍ଦ୍ର ଫଡନାଭିସ୍

ମହାରାଷ୍ଟ୍ରରେ ଦିନେ ବିଜେପି ଓ ଶିବସେନା ଥିଲେ ପରସ୍ପରର ଘନିଷ୍ଠ ସହଯୋଗୀ । କିନ୍ତୁ ଏବେ ପରସ୍ପରର ଚରମ ଶତ୍ରୁ ପାଲଟି ଯାଇଛନ୍ତି । ଉଦ୍ଧବଠାକରେ ଏପରିଭାବେ ବିଜେପିର ଚକ୍ରବ୍ୟୁହରେ ଫସିଯାଇଛନ୍ତି ଯେ ତାଙ୍କ ହାତରୁ କେବଳ ସରକାର ନୁହେଁ, ନିଜ ଦଳ ବି ଚାଲିଯାଇଛି ।

ରାଜନୈତିକ ଦୃଷ୍ଟିରୁ ବିଜେପି ଶିବସେନାକୁ ଏତେ ବଡ଼ କ୍ଷତି ପହଞ୍ଚାଇଛି ଯେ ତାହା ସବୁବେଳେ ଉଦ୍ଧବ ଠାକରେଙ୍କ ମନରେ ରହିବ। ଶିବସେନାର ଏହି ବିଭାଜନ ପଛରେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଭୂମିକା ଥିବା ଅନୁମାନ କରାଯାଉଛି, କିନ୍ତୁ ଗୁରୁବାର ମହାରାଷ୍ଟ୍ର ବିଧାନସଭାରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଉଦ୍ଧବ ଠାକରେ ଏବଂ ଦେବେନ୍ଦ୍ର ଫଡନାଭିସ ବିଧାନସଭା ପରିସରରେ ପରସ୍ପର ସହ ହସଖୁସିରେ ଗପ କରୁଥିଲେ । ଉଦ୍ଧବଙ୍କ ସହ ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ।  ଉଦ୍ଧବ ଏବଂ ଫଡନାଭିସଙ୍କ ମଧ୍ୟରେ ଥିବା ପୁରୁଣା କେମେଷ୍ଟ୍ରି ପୁଣି ଦେଖାଯାଉଥିଲା । ଦୁଇ ନେତା ପରସ୍ପର ସହ କଥା ବାର୍ତ୍ତା କରି ଆଗକୁ ବଢ଼ିଥିଲେ । ଏହି ସମୟରେ ଉଦ୍ଧବ ଏବଂ ଫଡନାଭିସଙ୍କ ସହ ଥିବା ଅନ୍ୟନେତାମାନଙ୍କ ମୁହଁ ମଧ୍ୟ ଉଜ୍ଜଳ ଦେଖାଯାଉଥିଲା । ଦୁଇ ନେତାଙ୍କ ଏହି ବିରଳ ଭିଡିଓ ସାମ୍ନାକୁ ଆସିବା ପରେ ଉଦ୍ଧବ ଠାକରେ ପୁଣି ଥରେ ବିଜେପିରେ ଯୋଗ ଦେବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।