ଆଗାମୀ କିଛି ଦଶନ୍ଧି ଧରି କଂଗ୍ରେସ କ୍ଷମତାକୁ ଫେରିବ ନାହିଁ : ଆଜାଦ୍

ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି (ଡିପିଏପି) ସଭାପତି ଗୁଲାମ ନବୀ ଆଜାଦ ଶନିବାର କଂଗ୍ରେସ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ ଦଳରେ କିଛି ପରିବର୍ତ୍ତନ ହୋଇନାହିଁ। କଂଗ୍ରେସ ଆସନ୍ତା ଥର କଣ ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ କ୍ଷମତାକୁ ଫେରିପାରିବ ନାହିଁ । ଗୁଲାମ ନବୀଙ୍କ ପୁସ୍ତକ ‘ଆଜାଦ’ ରିଲିଜ୍ ହେବା ପୂର୍ବରୁ ସେ ଏକ ଜାତୀୟ ଟିଭି ଚ୍ୟାନେଲକୁ ଏକଥା କହିଛନ୍ତି ।

ଲୋକସଭା ସଭ୍ୟପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ କଂଗ୍ରେସରେ କିଛି ପରିବର୍ତ୍ତନ ହୋଇନାହିଁ। କଂଗ୍ରେସ ସେଠାରେ ଜିତିବ ବୋଲି ଆଶା ରଖିଛି ଯେଉଁଠାରେ ସେମାନଙ୍କର ଜଣେ ଶକ୍ତିଶାଳୀ ସ୍ଥାନୀୟ ନେତା ଅଛନ୍ତି। ନିର୍ବାଚନରେ ବିଜୟ ଓ ପରାଜୟରେ କଂଗ୍ରେସ ନେତୃତ୍ୱର କୌଣସି ଭୂମିକା ନାହିଁ। କୌଣସି ଆସନରେ କଂଗ୍ରେସ ନେତୃତ୍ୱର ପ୍ରଭାବ ନାହିଁ। ସେ କହିଛନ୍ତି ଯେ କଂଗ୍ରେସ ଯୋଗୁଁ ଅନେକ ଆଞ୍ଚଳିକ ଦଳ ହାରିଛନ୍ତି। ଗୁଲାମ ନବୀ ଆଜାଦ ମଧ୍ୟ ବିରୋଧୀଙ୍କ ଏକତା ସମ୍ଭାବନାକୁ ବି ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି।